ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳି ରବିନ ଉଥାପ୍ପାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି। ଭବିଷ୍ୟନିଧି ପାଣ୍ଠି(ପିଏଫ) ଆୟୁକ୍ତ ଶଦାକ୍ଷରି ଗୋପାଳ ରେଡ୍ଡୀ ତାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି କରିଛନ୍ତି । ଏହାସହିତ ଉଥାପ୍ପାଙ୍କ ବିରୋଧରେ ଯଥାଶୀଘ୍ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ପୁଲକେଶିନଗର ଥାନାକୁ ନିର୍ଦେଶ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଉଥାପ୍ପାଙ୍କ ସେଞ୍ଚୁରୀ ଲାଇଫଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ ନାମରେ ଏକ ଘରୋଇ କମ୍ପାନୀ ଅଛି । ତାଙ୍କ କମ୍ପାନୀ କର୍ମଚାରୀମାନଙ୍କ ଦରମାରୁ ଭବିଷ୍ୟନିଧି ପାଣ୍ଠି (ପିଏଫ) ଟଙ୍କା କାଟି ରଖୁଥିବାବେଳେ ତାହାକୁ ସେମାନଙ୍କ ଆକାଉଣ୍ଟରେ ଜମା କରିନାହିଁ। ଏ ବାବଦରେ ପ୍ରାୟ ୨୩ ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିବା ପରେ ଗିରଫ ପରୱାନା ଜାରି ହୋଇଛି।