ନୂଆଦିଲ୍ଲୀ: ସଂସଦ ପରିସରରେ ହୋଇଥିବା ଧକ୍କାବାଜି ଘଟଣାରେ ଉଭୟ ବିଜେପି ଏବଂ କଂଗ୍ରେସର ଅଭିଯୋଗ କ୍ରମେ ତଦନ୍ତ ଆରମ୍ଭ ହୋଇଛି । ବିଜେପି ଅଭିଯୋଗରେ ଲୋକସଭା ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିବା ବେଳେ ଏହି ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ସେଥିପାଇଁ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଏକ ସ୍ପେଶାଲ ଟିମ ଗଠନ କରଯାଇ ତଦନ୍ତ ଆରମ୍ଭ ହୋଇଛି। ତେବେ ଏହି ବିବାଦରେ ଆହତ ସାଂସଦ ମହେଶ ରାଜପୁତ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ବୟାନ ରେକର୍ଡ ହେବାପରେ ଘଟଣାର ସିସିଟିଭି ଫୁଟେଜ ଏବଂ ମୋବାଇଲ୍ ଭିଡିଓ ଯାଞ୍ଚ କରାଯିବ। ପ୍ରମାଣ ପାଇଁ ଲୋକସଭା ବାଚସ୍ପତିଙ୍କ ଅନୁମତିକ୍ରମେ ମିଡିଆ କ୍ୟାମେରା ଫୁଟେଜ୍ ସଂଗ୍ରହ କରାଯିବ। ବୟାନ ଏବଂ ଫୁଟେଜ୍ ପାଇବା ପରେ ଘଟଣା ସ୍ଥଳରେ ଏହି ସିନ୍ କୁ ରିକ୍ରିଏସିନ୍ କରାଯିବା ସମ୍ଭାବନା ରହିଛି। ଏହାପରେ ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦଙ୍କ ନିକଟକୁ ନୋଟିସ ପଠାଯିବ।
ସୂଚନାଯୋଗ୍ୟ ଯେ, ଗୁରୁବାର ସଂସଦରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ଲୋକସଭା ଭିତରକୁ ଯାଉଥିବା ବେଳେ ପ୍ରବେଶ ପଥରେ ବିଜେପି ସାଂସଦମାନେ ବିକ୍ଷୋଭ କରୁଥିଲେ। ଦୁଇ ପକ୍ଷ ସାଂସଦ ଗୋଟିଏ ସ୍ଥାନରେ ପହଞ୍ଚିବା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏହି ସମୟରେ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା।
ବିଜେପିର ଅଭିଯୋଗ ଆଧାରରେ ଦିଲ୍ଲୀ ପୋଲିସ୍ ରାହୁଲ ଗାନ୍ଧୀଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।