ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ ଶଙ୍କରପୁର ଗ୍ରାମପଞ୍ଚାୟତ ମୁଳିଝରୀ ଓ ଏହାର ଆଖପାଖ ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଉପଦ୍ରବ ଥମିବାର ନା ଧରୁନାହିଁ। ବିଶେଷ କରି ସନ୍ଧ୍ୟା ହେଲା ପରେ ପଲପଲ ହାତୀ, ବାରହା ବିଲରେ ପଶି ମାଟି ତାଡି ଫସଲ ନଷ୍ଟ କରୁଛନ୍ତି। ଏଭଳି ଦୀର୍ଘ ଦିନ ଧରି ଚାଲିଥÒବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ବାରମ୍ବାର ଆପତ୍ତି ଅଭିଯୋଗ ପରେ ମଧ୍ୟ ବନ୍ୟଜନ୍ତୁ ଘଉଡେଇବାରେ ବନ ବିଭାଗ ବିଫଳ ହୋଇଛି।
ସୂଚନାଯୋଗ୍ୟ, ଢେଙ୍କାନାଳ ସଦର ରେଞ୍ଜ ଶଙ୍କରପୁର, ପାମାଳ, ମୁଳୀଝରୀ, ପଦଲାପୁର, କୋରଙ୍ଗାଭଳି ଆଖପାଖ ଅଞ୍ଚଳର ଶତାଧିକା ଚାଷୀ କନ୍ଦମୂଳ ଚାଷ ଉପରେ ନିର୍ଭର କରି ଚଳନ୍ତି। ଢେଙ୍କାନାଳରୁ କନ୍ଦମୂଳ ଯାଇ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାପ୍ରସାଦରେ ଲାଗି ହୋଇଥାଏ। ଭଦ୍ରକ, ଗଞ୍ଜାମ, ରାୟଗଡା, ନବରଙ୍ଗପୁର ଭଳି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯିବା ସହିତ ମହାରାଷ୍ଟ୍ର, ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ଆଦି ବାହାର ରାଜ୍ୟକୁ ମଧ୍ୟ ଯାଇଥାଏ। ରବି ଓ ଖରିଫ ଋତୁରେ ପ୍ରାୟ ପାଞ୍ଚ ପ୍ରଜାତିର କନ୍ଦମୂଳ ଚାଷ କରିଥାନ୍ତି ଏଠିକାର ଚାଷୀ। ଗ୍ୟୋରୀ, ଉତ୍ତମ, ଭବାନୀ, ସ୍ୟୋରୀ ଓ କାଞ୍ଚନଗଡ ପ୍ରଜାତିର କନ୍ଦମୂଳ ଏଠାରେ ଚାଷ କରାଯାଏ। ହେଲେ କିଛି ବର୍ଷ ହେବ ବନ୍ୟଜନ୍ତୁଙ୍କ ପ୍ରାର୍ଦୁଭାବ ଲାଗି ରହିଛି। ବାରମ୍ବାର ଫସଲ ହାନୀ ହେଉଥିବାରୁ ଚାଷୀ ଏହି ଲାଭଜନକ ଫସଲରୁ ମୁହଁ ଫେରାଇନେଉ ଥିବା କିଛି ଚାଷୀ ଅଭିଯୋଗ କରିଛନ୍ତି।ଚାଷୀ ଗଗନ ଖଟୁଆ କହିଛନ୍ତି, ଏହି ସୁଆଦିଆ କନ୍ଦମୂଳରୁ ଗୋଲାପଜାମୁ, ଚିପ୍ସ ଆଦି ପ୍ରସ୍ତୁତ କରାଯାଇଥାଏ । କମ୍ ଅର୍ଥ ବିନିଯୋଗରେ ଭଲ ରୋଜଗାର ପାଇଁ ଏହି ଚାଷକୁ ଆପଣେଇଥିଲେ ଚାଷୀ । ହେଲେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ପାଇଁ ଫସଲ ଉପରୁ ଚାଷୀ ଏବେ ମୁହଁ ଫେରାଉ ଥିବା ସେ କହିଛନ୍ତି। ସେହିପରି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି,ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବରୁ ଫସଲ ସବୁକୁ ସୁରକ୍ଷିତ ରଖିବା ପାଇଁ ସୋଲାର ଫେନସିଂ ଲଗାଯାଉଛି। ହେଲେ ସେ ସବୁକୁ ବାରହା, ହାତୀ ନ ମାନି ଭାଙ୍ଗିରୁଜି ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। ଏନେଇ ବନ ବିଭାଗ ନିକଟରେ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏ ଦିଗରେ ତରୁନ୍ତ ବନବିଭାଗ ଦୃଷ୍ଟି ଦେଇ ଚାଷୀଙ୍କୁ କ୍ଷତିପୁରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।