ଡେରାଡୁନ: ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଭୟଙ୍କର ଭୂସ୍ଖଳନ ଘଟିଛି। ଶନିବାର ଧାରଚୁଲା-ତାୱାଗାଟ ଏନଏଚ୍ରେ ଏହି ଭୂସ୍ଖଳନ ଘଟିବା ଫଳରେ ଅନେକ ଯାନବାହନ ଅଟକି ରହିଥିବା ଜଣାପଡିଛି ।ଭୂସ୍ଖଳନ ଏତେ ଭୟଙ୍କର ଥିଲା ଯେ ବାୟୁମଣ୍ଡଳରେ ବହୁଦୂର ପର୍ଯ୍ୟନ୍ତ ଧୂଳି ବ୍ୟାପିଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ କୌଣସି ଯାନ ଏହି ରାସ୍ତା ଦେଇ ଯାଉନଥିଲା। ତେବେ ଏଥିରେ କୋୖଅଂଶୀ ପ୍ରାଣହାନୀ ଘଟିଥିବା ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ ଯେ, ରାଜପଥ କାମ କରୁଥିବା ହିଲୱେ କମ୍ପାନୀ ପଥର ଭାଙ୍ଗିବା ପାଇଁ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲା। ଯେଉଁଥିପାଇଁ ଏକ ବଡ଼ ପଥର ଖଣ୍ଡ ଫାଟି ଯାଇ ଏହି ଭୂସ୍ଖଳନ ଘଟିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ନିୟୋଜିତ ହୋଇ ଯଥାଶୀଘ୍ର ରାସ୍ତା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଘଟଣାକୁ ନେଇ ପିଥୋରାଗଡ ଡିଏମ ବିନୋଦ ଗୋସ୍ବାମୀ କହିଛନ୍ତି ଯେ, ପିଥୋରାଗଡ ଜିଲାର ତାୱାଘାଟ-ଧାରଚୁଲା ଜାତୀୟ ରାଜପଥରେ ଲ୍ୟାଣ୍ଡ ସ୍ଲାଇଡ ଯୋଗୁଁ ଟ୍ରାଫିକ ପ୍ରଭାବିତ ହୋଇଥିବା ବେଳେ ଆବର୍ଜନା ହଟାଇବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଛି। ସୌଭାଗ୍ୟବଶତଃ କୌଣସି ଆହତଙ୍କ ରିପୋର୍ଟ ନାହିଁ। ତେବେ ଯଥାଶୀଘ୍ର ରାସ୍ତା ଖୋଲିବାକୁ ଜିଲା ପ୍ରଶାସନ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇ ଟ୍ରାଫିକ ପୁନରୁଦ୍ଧାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।