ଭୁବନେଶ୍ବର, ଜାନୁଆରୀ ପ୍ରଥମମାର୍ଦ୍ଧ ଆକାଶରେ ଥିବା ୫ଟି ଗ୍ରହକୁ ଖାଲି ଆଖିରେ ଦେଖିବାସୁଯୋଗ ଆସିଛି। ଏହି ଗ୍ରହ ସମାବେଶ ବା ଇଂରାଜୀରେ ଏହାକୁ ଏକ ପ୍ଲାନେଟ୍ ପରେଡ଼ କୁହାଯାଏ। ଯଦିଓ ଏହି ଶବ୍ଦର କୌଣସି ବୈଜ୍ଞାନିକ ସଂଜ୍ଞା ନାହିଁ ତେବେ ଜ୍ୟୋତିର୍ବିଜ୍ଞାନରେ ଏହାକୁ ବହୁଳ ଭାବରେ ବ୍ୟବହୃତ ହେଉଛି। ଯାହା ଏକ ବିରଳ ମହାକାଶ ଘଟଣା। ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ବୁଲୁଛନ୍ତି। ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡ଼ି ଆମେ ୫ଟି ଗ୍ରହକୁ ଖାଲି ଆଖିରେ ଦେଖି ପାରୁ।
ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗ୍ବଳୟର କିଛି ଉପରେ ଦେଖା ଯିବ ଉଜ୍ବଳ ଶୁକ୍ର ଗ୍ରହ। ତାର କିଛି ଉପରକୁ ଥିବା ଇସତ୍ ହଳଦୀ ରଙ୍ଗର ଶନିଗ୍ରହ ଓ ପୂର୍ବଦିଗ୍ବଳୟର କିଛି ଉପରେ ଥିବା ବୃହସ୍ପତି ଗ୍ରହ। ରାତି ବଢ଼ିବା ସାଙ୍ଗେ ଏହି ଗ୍ରହ ଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡ଼କୁ ଗତି କରି କ୍ରମାନ୍ବୟର ଅସ୍ତ ହେବେ। ରାତି ୯ଟାରେ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେତିକି ବେଳକୁ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବଦିଗ୍ବଳୟରେ ଉଦୟ ହେବ। ସେହି କ୍ରମରେ ବୁଧଗ୍ରହ ପୂର୍ବଦିଗ୍ବଳୟରେ ଭୋର ସମୟରେ ଉଦୟ ହେବ। ସାଧାରଣତଃ ବୁଧଗ୍ରହ ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ। ଡିସେମ୍ବର ମାସ ୨୦ ତାରିଖରୁ ୩୦ ତାରିଖ ଯାଏ ପୂର୍ବାଆକାଶରେ ସୂର୍ଯ୍ୟଉଦୟର ଠିକ ପୂର୍ବରୁ ଦିିଗ୍ବଳୟର ପ୍ରାୟ ୩୦ ଡ଼ିଗ୍ରୀ ମଧ୍ୟ ଦେଖା ଯିବ।
ଏହାଛଡ଼ା ୟୁରାନସ ଓ ନେପଚୁନ୍ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣରେ ଦେଖିହେବ। ଆଗ୍ରହୀ ଜ୍ୟୋତିର୍ବିଜ୍ଞାନୀମାନେ ନିଜର ଦୂରବୀକ୍ଷଣ ଧରି ଏହି ମହାକାଶ ଉତ୍ସବ ଦେଖିବା ପାଇଁ ଓ ଜନସାଧାରଣଙ୍କୁ ଦେଖାଇବା ପାଇଁ ପ୍ରସ୍ତୁତ ହେଲେଣି। ଏଭଳି ଏକ ଉତ୍କୃଷ୍ଟ ସୁଯୋଗ ହାତ ଛଡ଼ା ନ କରିବାକୁ ବୈଜ୍ଞାନିକ ଡ଼. ଶୁଭେନ୍ଦୁ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।