ରାଜକନିକା: ସରକାରଙ୍କ କଟକଣା ସତ୍ତ୍ବେ ବାହାର ରାଜ୍ୟକୁ ଚାଲିଛି ଧାନଚାଲାଣ। ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ଗାଡି ପଶି ଚାଷୀଙ୍କ ଧାନ ୧୯ ଶହ ଟଙ୍କାରେ ନେବାରେ ଲାଗିଛି। ଫଳରେ ଚାଷୀ ଅଭାବୀ ବିକ୍ରିକୁ ସାମ୍ନା କରିବାକୁ ପଡ଼ିଛି। ଗାଁ ଗାଁ ରେ ପଶ୍ଚିମବଙ୍ଗ ଓ଼ ଛତିଶଗଡ଼ ରାଜ୍ୟକୁ ଧାନ ଚାଲାଣ ପାଇଁ ଦଲାଲ ଏବେ ମାତି ଉଠିଛନ୍ତି। ଚାଷୀଙ୍କ ଉତ୍ପାଦିତ ଧାନକୁ ଅନଲାଇନ ଜରିଆରେ ପଞ୍ଜିକୃତ ଚାଷୀଙ୍କ ଠାରୁ ପାକ୍ସ /ଲାମ୍ପସ ମାଧ୍ୟମରେ ସରକାର ଉଚିତ ମୂଲ୍ୟ ମୂଲ୍ୟରେ ଧାନ କିଣିବା ବ୍ୟବସ୍ଥା କରିଛନ୍ତି। ବାହାର ରାଜ୍ୟକୁ ଧାନ ଚାଲାଣ ଉପରେ ସରକାର କଟକଣା ଲଗାଇଛନ୍ତି। ଏ ନେଇ ସଚେତନ କରାଯାଉଛି। ଏତେ ସବୁ କଟକଣା ସତ୍ତ୍ୱେ ଆଜି ରାଜକନିକାର ବିଭିନ୍ନ ସ୍ଥାନରେ ଦଲାଲ ମାନେ ବାହାର ରାଜ୍ୟର ଗାଡି ଲଗାଇ ବେଧଡ଼କ ବେପାର କରିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ରାଜକନିକା ବ୍ଲକ ଏମଆଇଙ୍କୁ ବାହାର ରାଜ୍ୟକୁ ଧାନ ଚାଲାଣ ବେଳର ଫଟୋ ଦେଇ ଅଭିଯୋଗ ଦେଇଥିଲେ ବି ସେ ଏକଥା ଉପରକୁ ଜଣାଇ ଦେଇଥିବା କହି ଚୁପ ରହିଛନ୍ତି। ଆଜି ଦିନରେ ୬ ଟି ଟ୍ରକରେ ଶହ ଶହ କୁଇଣ୍ଟାଲ ଧାନ ଚାଲାଣ ହୋଇଛି। ତେବେ ସରକାରୀ ଧାର୍ଯ୍ୟମୂଲ୍ୟ ୩୧ ଶହ ଟଙ୍କାରେ ଧାନ କିଣିବାକୁ ତତ୍ପର ଥିବା ବ୍ୟବସ୍ଥାରେ କିଭଳି ଏମିତି ଦଲାଲରାଜ ଚାଲିଛି ତାହା ଆଜିର ଘଟଣାରେ ସ୍ପଷ୍ଟ ହୋଇଛି। ଚାଷୀ ମାନେ ମହାଜନଙ୍କ ଶୋଷଣର ଶିକାର ହୋଇ ଶାଗ ମାଛ ଦରରେ ନିଜ ଉତ୍ପାଦିତ ଧାନକୁ ବାଧ୍ୟ ହୋଇ ଅଳ୍ପ ଦରରେ ବିକ୍ରୀ କରୁଛନ୍ତି। ବେଧଡ଼କ ଧାନ ଚାଲାଣ ରୋକିବାକୁ ପ୍ରଶାସନକୁ ସଜାଗ କରିବାକୁ ଦାବି ହୋଇଛି।