ନାଉଗାଁ : ଅବସ୍ଥା ଅସମ୍ଭାଳ କଲାଣି ଅଦିନିଆ ବର୍ଷା। ଚାଷ ଜମିରୁ ପାଣି ଛାଡୁନି କି ଚାଷୀ ଆଖିରୁ ଲୁହ ଶୁଖୁନି। ଦାନାର ଦାଉ, ଦୁଇ ଦୁଇଥର ଲଘୁଚାପ ଜନିତ ବର୍ଷାର ପ୍ରକୋପ। ବିଲରେ ଭାସୁଛି କେଣ୍ଡା କେଣ୍ଡା ପାଚିଲା ଧାନ। ଚାଷୀ ମୁଣ୍ଡରେ ଚଡ଼କ ପକାଇଲାଣି ଅମଳକ୍ଷମ ଧାନର ଏ ଦୂରାବସ୍ଥା। ସେପଟେ ଉଜୁଡ଼ିବା ସ୍ଥତିରେ ପନିପରିବା ଫସଲ।
ହେକ୍ଟର ହେକ୍ଟର ଖରିଫ ଫସଲ ଏବେ ଅମଳକ୍ଷମ। କେଉଁଠି ଧାନ କଟା ହୋଇ ବିଲରେ ପଡ଼ିଛି ତ ଆଉ କେଉଁଠି ଖଳାରେ। କେତେକ ସ୍ଥାନରେ କଟା ଅପେକ୍ଷାରେ ଛିଡ଼ା ହୋଇରହିଛି ଧାନ କେଣ୍ଡା। କିନ୍ତୁ ହଠାତ୍ ମାଡ଼ି ଆସିଲା ଏ ଅଦିନିଆ ବର୍ଷା। ବିଲରେ ତିନ୍ତାଇ ଦେଇଛି ପାଚିଲା ଧାନ। ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଲାଣି ଏହି ଅଦିନିଆ ବର୍ଷା। ଧାନ ଅମଳ କରିପାରିବେ କି ନାହିଁ ସେନେଇ ଚିନ୍ତାରେ ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଂଚଳର ଶହ ଶହ ଚାଷୀ। କେବଳ ଧାନ ନୁହେଁ, ଚାଷୀଙ୍କୁ ଘାରିଲାଣି ରବି ଜାତୀୟ ଫସଲ ଉଜୁଡି ଯିବାର ଭୟ।
ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ପ୍ରାୟ ୭୫୦୦ ହେକ୍ଟର ଚାଷ ଜମିରେ ଖରିଫ ଧାନ ଚାଷ କରାଯାଇଥାଏ। ଏଥିମଧ୍ୟରୁ ଲଘୁ ଜାତୀୟ ଧାନ ପ୍ରାୟ ୨୫୦ ହେକ୍ଟର ଚାଷ ଜମିରେ ଚାଷ କରାଯାଇଛି। ଅବଶିଷ୍ଟ ଚାଷ ଜମିରେ ଶାରଦ ଧାନ ଚାଷ କରାଯାଇଛି। ଏହି ବ୍ଳକରେ କିଛି ଚାଷୀ ଧାନ କଟା ମେସିନ ସାହାଯ୍ୟରେ ଧାନ ଅମଳ କରିଛନ୍ତି। କିନ୍ତୁ ଏବେବି ପ୍ରାୟ ୭୦ ପ୍ରତିଶତ ଚାଷୀଙ୍କର ଧାନ ଅମଳ ହୋଇପାରିନାହିଁ। କେତେକ ଚାଷୀ ଧାନ କାଟି ବିଲରେ ପକାଇଛନ୍ତି ତ ଆଉ କେଉଁଠି ଧାନ କଟା ଯାଇପାରିନାହିଁ। ଏବେ ଲଗାଣ ବର୍ଷା ହେତୁ ବିଲରେ ପାଣି ଜମି ରହିବା କାରଣରୁ କଟା ହୋଇ ବିଲରେ ପଡ଼ି ରହିଥିବା ଧାନ ଗଜା ହେବାକୁ ବସିଲାଣି। ଏମିତିକି ରବି ଜାତୀୟ ଫସଲ ସହ ପରିବା ତଥା ବାଇଗଣ, କୋବି, ବିଲାତି ବାଇଗଣ, ଲଙ୍କା, ବିନସ, ପୋଟଳ, ଶିମ୍ବ, ଭେଣ୍ଡି ଆଦି ପରିବା ଚାଷ ମଧ୍ୟ ଏହି ବର୍ଷାରେ ନଷ୍ଟ ହେବାର ଆଶଙ୍କା ରହିଛି। ବ୍ଲକ କାର୍ଯ୍ୟାଳୟ ଅନୁସାରେ ଦୁଇ ଦିନ ଭିତରେ ହେଲାଣି ୭୨ ମିଲିମିଟରରୁ ଉର୍ଦ୍ଧ୍ବ ବର୍ଷା ହୋଇଥିବା ବେଳେ ଏବେବି ଲାଗି ରହିଛି ତୁହାକୁ ତୁହା ବର୍ଷା।ଧାନ ଅମଳ କରି ଦୁଇ ପଇସା ରୋଜଗାର କରିବାକୁ ଚାଷୀ ଆଶା କରି ବସିଥିଲା। ସରକାର ମଧ୍ୟ ଚାଷୀଙ୍କଠାରୁ ଏଫ୍ଏକ୍ୟୁ ମାନର ଧାନ ସଂଗ୍ରହ କରିବାକୁ ଘୋଷଣା କରିଛନ୍ତି। ମାତ୍ର ଏବେ ଧାନ ବିଲରେ ପାଣି ଖାଇ ଗଜା ହେବାକୁ ବସିଥିବାରୁ ଚାଷୀକୂଳ ଆତଙ୍କିତ ହୋଇପଡିଛନ୍ତି। କେଉଁଠୁ ଆଣିବେ ଏଫ୍ଏକ୍ୟୁ ମାନର ଧାନ। କେମିତି ରୋଜଗାର କରିବେ ଦୁଇ ପଇସା। କେମିତି ପରିଶୋଧ କରିବେ ଋଣ। ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଚାଷୀଙ୍କ ଏ ଦୁର୍ଦ୍ଦଶା ପ୍ରତି ସରକାର ଦୃଷ୍ଟି ଦେଇ ଚାଷୀ ଓ ଭାଗଚାଷୀ ମାନଙ୍କୁ ଏକର ପିଛା ୨୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ଜିଲ୍ଲା ସଭାପତି ସୁବାସ ସ୍ବାଇଁ ଏବଂ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହସଂଯୋଜକ ଅଶୋକ ସ୍ବାଇଁ ପ୍ରମୁଖ ଦାବି କରିଛନ୍ତି ।