ରାଜନୀତି, ବିଦେଶ ନୀତିରେ ଧୁରୀଣ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କର ଫିଲ୍ମ ପ୍ରତି ମଧ୍ୟ ରହିଛି ଅହେତୁକ ଦୁର୍ବଳତା। ବିଶ୍ବର ବଚ୍ଛାବଚ୍ଛା ଚଳଚ୍ଚିତ୍ର ଦେଖିବାକୁ ସେ ପସନ୍ଦ କରନ୍ତି। ଖାଲି ପସନ୍ଦ କରନ୍ତି ନାହିଁ ବରଂ ବର୍ଷ ଶେଷରେ ନିଜ ପସନ୍ଦର ଫିଲ୍ମର ଏକ ତାଲିକା ମଧ୍ୟ ପ୍ରକାଶ କରନ୍ତି ଓବାମା । ଚଳିତବର୍ଷ ପାଇଁ ଆସିଯାଇଛି ଓବାମାଙ୍କ ମନପସନ୍ଦ ଫିଲ୍ମର ତାଲିକା। ନିଜେ ଓବାମା ଏହାକୁ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଓବାମାଙ୍କ ଏହି ପ୍ରିୟ ଫିଲ୍ମ ତାଲିକାରେ ସ୍ଥାନ ପାଇଛି ଭାରତୀୟ ଫିଲ୍ମ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’। ପାୟଲ କାପାଡିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଅନ୍ତର୍ଜାତୀୟ ମଞ୍ଚରେ ଖୁବ୍ ପ୍ରଶଂସା ସାଉଁଟିଛି। ୨୦୨୪ ମେ’ରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ଏହାର ଓ୍ବାର୍ଲଡ ପ୍ରିମିୟର କରାଯାଇଥିଲା। ବୈଶ୍ବିକ ଫିଲ୍ମ ଫେଷ୍ଟିଭାଲରେ ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’ ସିଧାସଳଖ ପ୍ରତିଯୋଗିତାରେ ସାମିଲ ହୋଇଥିଲା। ପ୍ରତିଦ୍ବନ୍ଦ୍ବିତାରେ ଅନ୍ୟ ବହୁ ଫିଲ୍ମକୁ ପଛରେ ପକାଇ ଏହା ଶ୍ରେଷ୍ଠ ଗ୍ରାଣ୍ଡ ପିକ୍ସ ପୁରସ୍କାର ନିଜ ନାମରେ କରି ନେଇଥିଲା। ବିଗତ ୩୦ ବର୍ଷ ଭିତରେ କାନ୍ସ ଫିଲ୍ମ ଫେଷ୍ଟିଭାଲର ପ୍ରତିଯୋଗିତାରେ ପହଞ୍ଚିବାରେ ଏହା ଥିଲା ପ୍ରଥମ ଭାରତୀୟ ଫିଲ୍ମ। ଏଥିସହ ୭୦ ବର୍ଷ ପରେ ଶ୍ରେଷ୍ଠ ଗ୍ରାଣ୍ଡ ପିକ୍ସ ପୁରସ୍କାର ଲାଭ କରିବାରେ ମଧ୍ୟ ଏହା ପ୍ରଥମ ଭାରତୀୟ ଫିଲ୍ମ ଥିଲା। କିନ୍ତୁ ଦୁଃଖର ବିଷୟ ଯେ ଫିଲ୍ମଟି ଅତ୍ୟନ୍ତ ସମ୍ମାନଜନକ ଓସ୍କାର ଫିଲ୍ମ ଫେଷ୍ଟିଭାଲରେ ସାମିଲ ହୋଇପାରି ନଥିଲା। ତେବେ ବାରାକ ଓବାମାଙ୍କ ମନକୁ ବେଶ୍ ଛୁଇଁଛି ‘ଅଲ୍ ଉଇ ଇମାଜିନ୍ ଆଜ୍ ଲାଇଟ୍’ର କାହାଣୀ ଓ ଫିଲ୍ମୋଗ୍ରାଫି। ନିଜ ପସନ୍ଦର ଅନ୍ୟ ଫିଲ୍ମଗୁଡିକ ସହିତ ଏହାକୁ ମଧ୍ୟ ଦେଖିବା ଲାଗି ଓବାମା ନିଜ ପ୍ରଶଂସକମାନଙ୍କୁ କହିଛନ୍ତି।