ଅନ୍ଲାଇନ ଡେଲିଭରି ଗ୍ରହଣ କରୁଥିଲେ ସାବଧାନ। ଦେଖନ୍ତୁ, ପରଖନ୍ତୁ ତା ପରେ ପାର୍ସଲ ରିସିଭ କରନ୍ତୁ। କାରଣ ପାର୍ସଲ ଭିତରୁ ମିଳିପାରେ ମୃତଦେହ ଭଳି କିଛି ଭୟଙ୍କର ଜିନିଷ। ଅବିଶ୍ବାସନୀୟ ଲାଗୁଥିବା ଏଭଳି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଜଣେ ମହିଳାଙ୍କ ସହିତ। ମହିଳା ଜଣକ ନିଜ ଘର ତିଆରି ପାଇଁ କିଛି ଇଲେକଟ୍ରିକ୍ ସାମଗ୍ରୀ ଅର୍ଡର କରିଥିଲେ। କିନ୍ତୁ ପାର୍ସଲରେ ପହଞ୍ଚିଥିଲା ଏକ ଅଧାସଢା ମୃତଦେହ। ଖାଲି ଏକତିକି ନୁହେଁ ମୃତଦେହ ସହିତ ଥିଲା ୧.୩ କୋଟି ଟଙ୍କା ପ୍ରଦାନ କରିବା ନେଇ ଏକ ଧମକପୂର୍ଣ୍ଣ ଚିଠି।
ଆନ୍ଧ୍ରପ୍ରଦେଶର ଗୋଦାବରୀ ଜିଲ୍ଲାରେ ଏହି ମହିଳା ନାଗା ତୁଳସୀଙ୍କ ଘର। ତୁଳସୀ ସରକାରଙ୍କ ଦ୍ବାରା ମଞ୍ଜୁର ଏକ ଜମିରେ ଘର ନିର୍ମାଣ କରୁଛନ୍ତି। ଏ ନେଇ ଆର୍ଥିକ ସହାୟତା ଲାଗି ସେ କ୍ଷେତ୍ରୀୟ ସେବା ସମିତି ନିକଟରେ ଆବେଦନ କରିଥିଲେ। ସମିତି ପକ୍ଷରୁ ପୂର୍ବରୁ ଟାଇଲ ପଠାଯାଇଥିଲା। ଯାହାପରେ ଇଲେକ୍ରିଟିକ ସାମଗ୍ରୀ ଯୋଜାଇ ଦେବା ଲାଗି ତୁଳସୀ ପୁନଃ ଆବଦେନ କରିଥିଲେ। ଲାଇଟ, ଫ୍ୟାନ ଏବଂ ସ୍ବିଚ ଭଳି ସାମଗ୍ରୀ ତାଙ୍କୁ ଖୁବଶୀଘ୍ର ପାର୍ସଲ ଜରିଆରେ ମିଳିଯିବ ବୋଲି ତାଙ୍କୁ ଏକ ହ୍ବାଟସଆପ ମେସେଜ ଆସିଥିଲା। ଗୁରୁବାର ରାତିରେ ତୁଳସୀଙ୍କ ନିକଟକୁ ଏକ ବଡ଼ ପାର୍ସଲ ଆସିଥିଲା। ସେଥିରେ ବୈଦ୍ୟୁତିକ ସାମଗ୍ରୀ ଥିବା ପାର୍ସଲ ନେଇ ଆସିଥିବା ବ୍ୟକ୍ତି କହିଥିଲେ। ମାତ୍ର ପାର୍ସଲଟିକୁ ଖୋଲିବା ପରେ ସେଥିରେ ଅଧାସଢା ମୃତଦେହ ଥିବା ଦେଖି ତୁଳସୀ ଅତଙ୍କିତ ହୋଇପଡିଥିଲେ। ଏଥିସହ ୧.୩୦ କୋଟି ଟଙ୍କା ନଦେଲେ ତାହାର ଭୟଙ୍କର ପରିଣତି ଭୋଗିବାକୁ ହେବ ବୋଲି ଧମକ ସମ୍ବଳିତ ଏକ ଚିଠି ମଧ୍ୟ ସେଥିରେ ରହିଥିଲା। ତୁଳସୀ କିମ୍ବା ତାଙ୍କ ପରିବାର, କାହା ଉଦ୍ଦେଶ୍ୟରେ ଏହି ଚିଠି ଲେଖାଯାଇଛି ତାହା ସ୍ପଷ୍ଟ ହୋଇପାରିନାହିଁ। ତୁଳସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି।