ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ପାଇଁ ପ୍ରସ୍ତୁତି ଚଳାଇଥିବା ଆମ ଆଦମୀ ପାର୍ଟି (ଆପ୍) ନେତା ଅରବିନ୍ଦ କେଜରିଓ୍ବାଙ୍କ ପାଇଁ ବଢିଲା ଅଡୁଆ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜରିଓ୍ବାଲଙ୍କ ବିରୋଧରେ ମାମଲା ଚଳାଇବା ଲାଗି ଶନିବାର ଉପରାଜ୍ୟପାଳ ଭିକେ ସକ୍ସେନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ ଏହି ଖବରକୁ ଆପ୍ ପକ୍ଷରୁ ମିଥ୍ୟା ଖବର ବୋଲି ଦର୍ଶାଯାଇଛି। ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବା ବେଳେ ଇଡି କେବଳ ମିଥ୍ୟା ପ୍ରଚାର କରୁଛି ବୋଲି ଆପ୍ ନେତା ସୌରଭ ଭରଦ୍ବାଜ, ପ୍ରିୟଙ୍କା କକ୍କର, ଅତିଶି ଏବଂ ମନିଶ ସିସୋଦିଆ କହିଛନ୍ତି। ଏଥିସହ ଉପରାଜ୍ୟପାଳଙ୍କ ଅନୁମତି ପତ୍ରର ଏକ ନକଲ ପ୍ରଦାନ କରିବାକୁ ସେମାନେ ଇଡିକୁ କହିଛନ୍ତି। ଦିଲ୍ଲୀ ଅବକାରୀ ନୀତି ପ୍ରସ୍ତୁତି ଓ କାର୍ଯ୍ୟାନ୍ବୟନରେ ବ୍ୟାପକ ଦୁର୍ନୀତି ନେଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ବିରୋଧରେ ମାମଲା ଚଳାଇବା ଲାଗି ଚଳିତ ମାସ ପ୍ରାରମ୍ଭରେ ଇଡି ପକ୍ଷରୁ ଉପରାଜ୍ୟପାଳଙ୍କ ଅନୁମତି ଲୋଡାଯାଇଥିଲା। ଇଡିର ଏହି ଆବେଦନ ସମ୍ବନ୍ଧରେ ଗତ ମେ ୧୭ରେ ରେସ ଆଭେନ୍ୟୁ କୋର୍ଟରେ ଦାଖଲ ଅଭିଯୋଗ ନମ୍ବର ୭ରେ ଉଲ୍ଲେଖ କରାଯାଇଛି। କୋର୍ଟ ଜୁଲାଇ ୯ରେ ଏହି ଅଭିଯୋଗକୁ ବିଚାରକୁ ନେଇଥିଲେ।
ଉଲ୍ଲେଖ ଯେ ୨୦୨୨ରେ ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ନେଇ ଉପରାଜ୍ୟପାଳ ସକସେନା ତଦନ୍ତ ନିର୍ଦ୍ଦେଶ ଦେବା ପରେ ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଯାହା ପରେ ଏହି ମାମଲାରେ ବ୍ୟାପକ ବେଆଇନ ଅର୍ଥ କାରବାର ଘଟଣା ସମ୍ମୁଖକୁ ଆସିଥିଲା। ସିବିଆଇ ଓ ଇସି ଅନୁସାରେ ଅବକାରୀ ନୀତିରେ ପରିବର୍ତ୍ତନ ବେଳେ ଦୁର୍ନୀତି କରାଯାଇ ଲାଇସେନ୍ସଧାରୀମାନଙ୍କୁ ଲାଭ ଦିଆଯାଇଥିବା ଅଭିଯୋଗ ରହିଛି। କେଜରିଓ୍ବାଲଙ୍କ ନେତୃତ୍ବାଧୀନ ଦିଲ୍ଲୀ ସରକାର ୨୦୨୧ ନଭେମ୍ବର ୧୭ରେ ଦିଲ୍ଲୀ ଅବକାରୀ ନୀତି ଲାଗୁ କରିଥିଲା। ଦୁର୍ନୀତି ଅଭିଯୋଗ ଉଠିବା ପରେ ଏହାକୁ ୨୦୨୨ ସେପ୍ଟେମ୍ବରରେ ଉଚ୍ଛେଦ କରିଦିଆଯାଇଥିଲା।