ନିର୍ବାଚନ ନିୟମରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନକୁ ନେଇ ଶନିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ସଂଶୋଧିତ ନିୟମ କ୍ରମେ ନିର୍ବାଚନ ସମ୍ବନ୍ଧୀୟ ସିସିଟିଭି ଫୁଟେଜ୍ ଏବଂ ଓ୍ବେବ୍କାଷ୍ଟିଂ ଫୁଟେଜ୍ ଭଳି କେେତକ ବୈଦ୍ୟୁତିକ ଦସ୍ତାବିଜ୍ ଆଉ ସାଧାରଣ ଲୋକେ ହାସଲ କରିପାରିବେ ନାହିଁ। ମାତ୍ର କଂଗ୍ରେସ ଏହି ସଂଶୋଧିତ ନିୟମକୁ ଅଦାଲତରେ ଚ୍ୟାଲେଞ୍ଜ କରିବ। ସଂଶୋଧନ ସମ୍ବନ୍ଧୀୟ ବିଜ୍ଞପ୍ତିର ଏକ ନକଲ ସହିତ ସୋସିଆଲ ସାଇଟରେ ଏକ ପୋଷ୍ଟ କରି ଦଳୀୟ ସାଧାରଣ ସମ୍ପାଦକ ଜୟରାମ ରମେଶ ଶନିବାର ଏହି ସୂଚନା ଦେଇଛନ୍ତି। ଏଥିସହ ଏଭଳି ବୈଦ୍ୟୁତିକ ଦସ୍ତାବିଜ୍ର ବ୍ୟବହାରରେ ସ୍ବଚ୍ଛତା ନେଇ ଭାରତୀୟ ନିର୍ବାଚନ କମିସନ (ଇସିଆଇ) କାହିଁକି ଡରୁଛନ୍ତି ବୋଲି ରମେଶ ପ୍ରଶ୍ନ କରିଛନ୍ତି।
ଉଲ୍ଲେଖ ଯେ ପୂର୍ବରୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ୍କୁ ସାଧାରଣ ଜନତା ହାସଲ ପୂର୍ବକ ଯାଞ୍ଚ କରିପାରିବାର ଅନୁମତି ଥିଲା। ମାତ୍ର ଏହା ଦ୍ବାରା ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳି ବିଭିନ୍ନ ବୈଦ୍ୟୁତିକ ଦସ୍ତାବେଜ୍ର ଅପବ୍ୟବହାର କରାଯାଇ ପାରେ ବୋଲି ଇସିଆଇ ଆଶଙ୍କା କରିଥିଲେ। ଏଥିସହ ସମ୍ବେଦଳଶୀଳ ତଥ୍ୟ ଏବଂ ଭୋଟରଙ୍କ ଗୋପନୀୟତାର ସୁରକ୍ଷା ଲାଗି ନିର୍ବାଚନ ଆଚରଣ ନିୟମରେ ସଂଶୋଧନ କରିବାକୁ ଇସିଆଇଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିର୍ବାଚନ ଆଚରଣ ନିୟମ, ୧୯୬୧ର ନିୟମ ୯୩ରେ ସଂଶୋଧନ କରିଥିଲେ।