ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ଫଳରେ ରାଜ୍ୟରେ ରବିବାରଠାରୁ ପାଗରେ ପରିବର୍ତ୍ତନ ହୋଇଛି। ଅବପାତ ପ୍ରଭାବରେ ରାଜ୍ୟରେ ଶକ୍ରବାରଠାରୁ ବର୍ଷା ହେଉଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ସକ୍ରିୟ ରହିବ । ଏହାପରେ ଧୀରେ ଧୀରେ ଏହା ସମୁଦ୍ର ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରଣପୁରରେ ସର୍ବାଧିକ ୧୦୮.୪ ମି.ମି ବର୍ଷା ହୋଇଥିବା ବେଳେ ବେଗୁନିଆରେ ୮୪ ମି.ମି, ପିପିଲି, ଜଟଣୀ ଏବଂ ଖୋର୍ଦ୍ଧାରେ ୭୫ ମି.ମି ବର୍ଷା ରେକର୍ଡ ହୋଇଛି ।
ଅପରପକ୍ଷରେ ରାଜ୍ୟରେ ବର୍ଷା କମିବା ପରେ ଘନ କୁହୁଡି ଦୃଶ୍ୟମାନ ହେବା ସହିତ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି । ସୋମବାର ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସବୁ ଜିଲ୍ଲାରେ ୫୦ ମିଟରରୁ କମ୍ ଦୃଶ୍ୟମାନ ଦୂରତା ରହିବା ନେଇ ସୂଚନା ମିଳିଛି ।