ନୂଆଦିଲ୍ଲୀ: ଗତ କିଛି ଦିନରୁ ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲରେ ବୋମା ଧମକ ମିଳୁଥିବା ବେଳେ ଏହା ପଛରେ ସ୍କୁଲ ଛାତ୍ରଙ୍କ ଯୋଜନା ଥିବା ଜଣାପଡିଛି । ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରମାନେ ଇ-ମେଲ ଜରିଆରେ ସ୍କୁଲକୁ ବୋମା ବିସ୍ଫୋରଣର ଧମକ ଦେଇଥିଲେ। ଉକ୍ତ ଛାତ୍ରମାନେ ଦିଲ୍ଲୀର ୩ଟି ସ୍କୁଲକୁ ବୋମା ଧମକ ଦେଇଥିବା ଦିଲ୍ଲୀ ପୋଲିସ କହିଛି ।
ସୂଚନାଯୋଗ୍ୟ ଯେ, ନଭେମ୍ବର ୨୮ ତାରିଖରେ ଦିଲ୍ଲୀର ରୋହିଣୀ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ପିଭିଆର୍ ମଲ୍ଟିପ୍ଲେକ୍ସରେ ରହସ୍ୟମୟ ବିସ୍ଫୋରଣ ହେବାର ମାତ୍ର ଗୋଟିଏ ଦିନ ପରେ ଭେଙ୍କଟଶ୍ବର ଗ୍ଲୋବାଲ୍ ସ୍କୁଲକୁ ଧମକ ମିଳିଥିଲା । ଏହାପରେ ଅଧିକାଂଶ ସ୍କୁଲକୁ ଏପରି ଧମକପୂର୍ଣ୍ଣ ଇମେଲ ଆସିଥିଲା । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ତଦନ୍ତରୁ ଏହି ଧମକପୂର୍ଣ୍ଣ ଇ-ମେଲ୍ କିଛି ସ୍କୁଲ ଛାତ୍ର-ଛାତ୍ରୀ ଦେଇଥିବା ଜଣାପଡିଥିଲା । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଭେଙ୍କଟଶ୍ବର ଗ୍ଲୋବାଲ୍ ସ୍କୁଲରେ ପଢ଼ୁଥିବା ଦୁଇ ଭାଇ-ଭଉଣୀ ଏହି ଇ-ମେଲ ନିଜ ସ୍କୁଲ ସମେତ ପଶ୍ଚିମ ବିହାର ସ୍ଥିତ ଅନ୍ୟ ଦୁଇ ସ୍କୁଲକୁ ମଧ୍ୟ ବୋମା ଧମକ ଦେଇଥିଲେ। କାରଣ ସେମାନେ ପରୀକ୍ଷା ଘୁଞ୍ଚାଇବାକୁ ଚାହୁଁଥିଲେ । ତେବେ ପଚରାଉଚରା ବେଳେ ପୋଲିସ ତାଙ୍କ ପିତା-ମାତାଙ୍କୁ ଚେତାବନୀ ଦେଇ ସେ ପିଲାଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି ।