ସୋହାନା : ପଞ୍ଜାବର ମୋହାଲି ସହରରେ ଘଟିଛି ବଡ଼ ଅଘଟଣ। ସୋହାନା ଠାରେ ନିର୍ମାଣଧୀନ କୋଠାରେ କିଛି ଖନନ କାର୍ଯ୍ୟ ଚାଲିଥିବାବେଳେ ଏହାର ନିକଟରେ ଥିବା ଆଉ ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଭାରତୀୟ ସେନା ଓ ଏନଡିଆରଏଫ୍ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଂକା ରହିଛି।
ସୂଚନାଯୋଗ୍ୟ ଯେ, ଶନିବାର ପଞ୍ଜାବ ମୋହାଲିର ସୋହାନା ଗାଁରେ ଥିବା ଏକ ୩ ମହଲା ବିଶିଷ୍ଟ କୋଠାରେ ଜିମ କାର୍ଯ୍ୟ ଚାଲିଥିବା ବେଳେ ଏପରି ଘଟିଥିଲା । ଅନ୍ୟ ଏକ କୋଠାର ବେସମେଣ୍ଟ କାମ ପାଇଁ ଖନନ କାର୍ଯ୍ୟ ଚାଲିଥିବା ବେଳେ ଏହି କୋଠାର ମୂଳଦୁଆ ଦୋହଲି ଉଠିଥିଲା । ଯେଉଁଥିପାଇଁ କୋଠା ଭୁଶୁଡି ପଡ଼ିଥିଲା । ଏହା ଯୋଗୁଁ ଭଗ୍ନାବଶେଷ ତଳେ ୧୫ରୁ ଅଧିକ ଲୋକ ଫସି ରହିଥିଲେ। ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ, ପୋଲିସ ଓ ଅଗ୍ନିଶମ ବାହିନୀ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ସମେତ ୧୦ରୁ ଅଧିକ ଫସିରହିଥିବା ସୂଚନା ମିଳିଛି। ତୁରନ୍ତ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରୀ ଟିମଙ୍କୁ ମଧ୍ୟ ଉପସ୍ଥିତ ରଖାଯାଇଛି । ଅପରପକ୍ଷରେ ଏହି ଘଟଣା ପାଇଁ ଉଭୟ ଘର ମାଲିକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ଘଟଣା ସମ୍ପର୍କରେ ସୂଚନା ପାଇ ମୋହାଲି ବିଧାୟକ କୁଲୱନ୍ତ ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।