ସାଓ ପାଉଲୋ: ଦକ୍ଷିଣ-ପୂର୍ବ ବ୍ରାଜିଲର ମିନାସ ଜେରାଇସ ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଏବଂ ଟ୍ରକ୍ ଧକ୍କା ହେବା ଫଳରେ ବସ୍ରେ ନିଆଁ ଲାଗି ୩୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହାସହିତ ୧୩ ଜଣ ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଶନିବାର ଦିନ ବସ୍ଟି ରାଜଧାନୀ ସାଓ ପାଉଲୋରୁ ୪୫ ଯାତ୍ରୀଙ୍କୁ ନେଇ ଯାଉଥିଲା । ଟିଫିଲୋ ଓଟୋନି ନିକଟରେ ବସର ଟାୟର ଫାଟି ଯିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ଏହାପରେ ଟ୍ରକ୍ ସହ ବସ୍ଟି ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ୍ରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଜୀବନ୍ତ ଜଳି ଯାଇଥିଲେ ।ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସମେତ ୩୮ ଜଣଙ୍କ ମୃତ୍ୟୁ ହୋଇଥିଲା । କ୍ଷତିଗ୍ରସ୍ତ ବସ୍ରୁ ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଥିବା ଜଣାପଡିଛି । ଏହି ବସ୍ ସହିତ ଏକ କାର ମଧ୍ୟ ଧକ୍କା ହୋଇଥିଲା। ଏଥିରେ ତିନି ଜଣ ଯାତ୍ରୀ ଥିବା ବେଳେ ସେମାନେ ସମସ୍ତେ ବଞ୍ଚି ଯାଇଛନ୍ତି। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଅପରପକ୍ଷରେ ଗଭର୍ଣ୍ଣର ରୋମିଓ ଜେମା ଓ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଏନେଇ ଦୁଃଖ ପ୍ରକାଶ କରିବା ସହିତ ପୀଡିତଙ୍କୁ ସହାୟତା କରିବା ପାଇଁ ଘୋଷଣା କରିଛନ୍ତି ।