ମାଗଡେବର୍ଗ: ଜର୍ମାନୀର ମାଗଡେବର୍ଗ ସହରର ଖ୍ରୀଷ୍ଟମାସ ବଜାରରେ କାର ଆକ୍ରମଣ ଘଟଣାରେ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଜଣେ ନଅ ବର୍ଷର ଶିଶୁ ମଧ୍ୟ ଅଛନ୍ତି। ଏହାସହିତ ଆହତଙ୍କ ସଂଖ୍ୟା ୨୦୦ରୁ ଅଧିକ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରେ ୭ଜଣ ଭାରତୀୟ ନାଗରିକଥିବା ସୂଚନା ମିଳିଛି। ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ସେଥିମଧ୍ୟରୁ ଚିକିତ୍ସିତ ତିନିଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସନ୍ଧ୍ୟାରେ ସାକ୍ସୋନି-ଆନହାଲ୍ଟ ରାଜ୍ୟର ମାଗଡେବର୍ଗର ଏକ ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ବଜାରରେ ୫୦ ବର୍ଷୀୟ ଜଣେ ବ୍ୟକ୍ତି କାର ଯୋଗେ ଦ୍ରୁତ ଗତିରେ ଆସି ଜାଣିଶୁଣି ଲୋକଙ୍କ ଉପରେ ମଡ଼ାଇ ଦେଇଥିଲା । ଏହାଯୋଗୁଁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଅପରପକ୍ଷରେ ଜର୍ମାନ ଅଧିକାରୀମାନେ ଏହାକୁ ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି କହିଥିବା ବେଳେ ସାଉଦି ଆରବର ଶରଣାର୍ଥୀମାନଙ୍କ ପ୍ରତି ଜର୍ମାନୀର ବ୍ୟବହାରକୁ ନେଇ ଅସନ୍ତୋଷ କାରଣରୁ ଏହି ଆକ୍ରମଣ ହୋଇଥାଇ ପରେ ବୋଲି ସନ୍ଦେହ କରାଯାଉଛି । ଏନେଇ ତଦନ୍ତ ଆରମ୍ଭ ହୋଇଛି।