ଜମ୍ମୁ: ଜମ୍ମୁ କଶ୍ମୀରର ବାନ୍ଦିପୋରା ଓ ସିପୋରେ ଅଞ୍ଚଳରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ଘଟଣାକୁ ବିଫଳ କରିଛି ସୁରକ୍ଷାବାହିନୀ। ଏଥିପାଇଁ ଶନିବାର ୩ ଜଣଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। ଆତଙ୍କବାଦୀ ସଂଗଠନ ଦ୍ୱାରା ଟାର୍ଗେଟ କିଲିଂ ବିଷୟରେ ସୂଚନା ପାଇ ସୁରକ୍ଷାବାହିନୀ ନାକାବନ୍ଦୀ କରି ଯାଞ୍ଚ ଆରମ୍ଭ କରିଥିଲା। ଏନେଇ ବାନ୍ଦିପୋରା ଏବଂ ସିପୋରେ ଅଞ୍ଚଳର କିଛି ରାସ୍ତାରେ ସ୍ୱତନ୍ତ୍ର ବ୍ୟାରିକେଡ୍ ମଧ୍ୟ ଲଗାଯାଇଥିଲା। ଏହି ସମୟରେ ଦାଙ୍ଗିୱାଚା ଅଞ୍ଚଳରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ୨ଟି ହ୍ୟାଣ୍ଡ ଗ୍ରେନେଡ୍ ଓ ୫ ରାଉଣ୍ଡ ଗୁଳି ସମେତ ଟଙ୍କା ଜବତ କରିଥିଲା।
ଅପରପକ୍ଷରେ ସନ୍ଧ୍ୟା ସାତଟା ସମୟରେ ବାନ୍ଦିପୋରା ଅଞ୍ଚଳରେ ଜଣେ ଯୁବକ ରାସ୍ତାରେ ବୁଲୁଥିବା ବେଳେ ନାକା ପାର୍ଟି ତାକୁ ଅଟକିବା ପାଇଁ ସଙ୍କେତ ଦେବା ପୂର୍ବରୁ ସେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ପିଛା କରି ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ୱାସିମ ଅହମ୍ମଦ ମଲିକ ବୋଲି ଜଣାପଡ଼ିଥିବା ବେଳେ ବାନ୍ଦିପୋରା ଅନ୍ତର୍ଗତ ଗୁଣ୍ଡପୋରାର ବାସିନ୍ଦା। ପୋଲିସ ତା’ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍ ଓ ୧୫ଟି ଗୁଳି ଜବତ କରିଥିଲା।