ନୂଆଦିଲ୍ଲୀ: ଭାରତ ଜାତୀୟ ସ୍ୱାର୍ଥ ଏବଂ ବିଶ୍ୱମଙ୍ଗଳ ପାଇଁ ଯାହା ଠିକ୍ ତାହା ବିନା ଭୟରେ କରିବ ବୋଲି କହି ପରୋକ୍ଷ ଭାବେ ଚୀନ୍କୁ ଟାର୍ଗେଟ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର। ଏହାସହିତ ଦେଶ କେବେ ବି ଅନ୍ୟମାନଙ୍କୁ ନିଜ ନିଷ୍ପତ୍ତିକୁ ଭିଟୋ କରିବାକୁ ଦେବ ନାହିଁ କହିଛନ୍ତି। ପୂର୍ବରୁ ଜାତିସଂଘରେ ଚୀନ୍ ଭିଟୋ କ୍ଷମତା ବ୍ୟବହାର କରି ଭାରତ ସମ୍ବନ୍ଧୀୟ ପ୍ରସ୍ତାବରେ ବାଧା ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ମତ ରଖିଛନ୍ତି ଜୟଶଙ୍କର।
ଶନିବାର ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଯେତେବେଳେ ଭାରତ ବିଶ୍ୱ ଚେତନାରେ ଗଭୀର ଭାବରେ ଚିହ୍ନିତ ହୁଏ, ସେତେବେଳେ ଏହାର ଫଳାଫଳ ଭିନ୍ନ ହୋଇଥାଏ। ଜଗତୀକରଣ ଯୁଗରେ ବୈଷୟିକ ଜ୍ଞାନକୌଶଳ ଓ ପରମ୍ପରାକୁ ଏକାଠି କରିବାକୁ ପଡ଼ିବ ବୋଲି କହି ଭାରତ ନିଶ୍ଚିତ ଭାବେ ଅଗ୍ରଗତି କରିବ ବୋଲି କହିଥିଲେ। କିନ୍ତୁ ଭାରତୀୟତା ନ ହରାଇ ଏହା କରିବା ଦ୍ୱାରା ଭାରତ ଏକ ବହୁଧ୍ରୁବୀ ବିଶ୍ୱରେ ଏକ ପ୍ରକୃତ ଅଗ୍ରଣୀ ଶକ୍ତି ଭାବେ ଉଭା ହୋଇପାରିବୁ ବୋଲି କହିଥିଲେ। ଏହାସହିତ ଭାରତ କେବେ ବି ନିଜ ନିଷ୍ପତ୍ତିକୁ ଭିଟୋ କରିବା ପାଇଁ ଅନ୍ୟକୁ ଅନୁମତି ଦେଇପାରିବ ନାହିଁ ବୋଲି କହିଥିଲେ।
ପ୍ରକାଶଥାଉ କି, ଶନିବାର ଜୟଶଙ୍କରଙ୍କୁ ୨୭ତମ ‘ଏସ୍ ଆଇଏସ୍ ଶ୍ରୀ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀ ଜାତୀୟ ସମ୍ମାନ’ ପ୍ରଦାନ କରାଯାଇଛି। କାଞ୍ଚି କାମାକୋଟି ପୀଠର ୬୮ତମ ସାଧୁ ସ୍ୱର୍ଗତ ଚନ୍ଦ୍ରଶେଖରେନ୍ଦ୍ର ସରସ୍ୱତୀଙ୍କ ନାମରେ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଜୟଶଙ୍କର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନପାରି ନିଜର ଭିଡିଓ ବାର୍ତ୍ତା ପଠାଇଥିଲେ।