ଢାକା: ଭାରତ-ବାଂଲାଦେଶର ସମ୍ପର୍କ ଦିନକୁ ଦିନ ତିକ୍ତ ହେଉଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରର ଆଉ ଏକ ଭାରତ ବିରୋଧୀ ମନ୍ତବ୍ୟ ଦେଇଛି। ଅନ୍ତରୀଣ ସରକାର ଦ୍ୱାରା ଗଠିତ ଏକ ତଦନ୍ତ କମିଶନ ପକ୍ଷରୁ ଅଭିଯୋଗ ହୋଇଛି ଯେ, ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଶାସନ କାଳରେ ଲୋକଙ୍କ ବଳପୂର୍ବକ ନିଖୋଜ ହେବା ପଛରେ ଭାରତର ହାତ ରହିଛି। ଏହାସହିତ କମିଶନ, ଭାରତର ସମ୍ପୃକ୍ତି ଏକ ସାର୍ବଜନୀନ ରେକର୍ଡର ବିଷୟ ବୋଲି କହିଛି।
ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ମଇନୁଲ ଇସଲାମ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ତଦନ୍ତ କମିଶନ କହିଛନ୍ତି ଯେ, କିଛି କଏଦୀ ଏବେ ବି ଭାରତୀୟ ଜେଲରେ ବନ୍ଦୀ ରହିଛନ୍ତି। ଏହାସହିତ ବୈଦେଶିକ ବ୍ୟାପାର ଏବଂ ଗୃହ ମନ୍ତ୍ରଣାଳୟକୁ ପରାମର୍ଶ ଦେଇ ଭାରତରେ ବନ୍ଦୀ ଥିବା କୌଣସି ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ପାଇଁ କହିଛନ୍ତି।
ଅପରପକ୍ଷରେ ଆୟୋଗ ଏହାକୁ ନେଇ ଦୁଇଟି ପ୍ରଚାରିତ ମାମଲାର ଉଦାହରଣ ଦେଇଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ କିପରି ବାଂଲାଦେଶୀ ନାଗରିକଙ୍କୁ ବଳପୂର୍ବକ ନିଖୋଜ କରାଯାଇଥିଲା। ପ୍ରଥମ ଉଦାହରଣରେ ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ପରିସରରୁ ଅପହରଣ ହୋଇ ପରେ ଭାରତୀୟ ଜେଲରୁ ମିଳିଥିବା ଶୁକ୍ରରଞ୍ଜନ ବାଲିଙ୍କ ମାମଲା ସମ୍ପର୍କରେ କହିଥିବା ବେଳେ ଦ୍ୱିତୀୟ ମାମଲାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନେତା ସଲାହୁଦ୍ଦିନ ଅହମ୍ମଦଙ୍କ ମାମଲା ସମ୍ପର୍କରେ ଗୁରୁତ୍ୱାରୋପ କରିଛି ଆୟୋଗ ।