ନୂଆଦିଲ୍ଲୀ : ଫିଲ୍ମ ହଲରେ ଫିଲ୍ମ ଦେଖିବାବେଳେ ଆମ ସମସ୍ତଙ୍କର ପପକର୍ଣ୍ଣ ଲୋଡା ପଡେ। କାରଣ ହଲରେ ପପକର୍ଣ୍ଣ ଟିକିଏ ଖିଆ ନହେଲେ ଫିଲ୍ମ ଦେଖା ଅଧୁରା ଅଧୁରା ଲାଗେ। ପପକର୍ଣ୍ଣ ଦର ଆହୁରି ବଢିବାର ସମ୍ଭାବନା ରହିଛି । କାରଣ ପପକର୍ଣ୍ଣ ଉପରେ ଜିଏସଟି ହାର ବୃଦ୍ଧି ପାଇଛି। ଶନିବାର ରାଜସ୍ଥାନର ଜୟସେଲମେରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ଖାଲି ସେତିକି ନୁହେଁ ପପକର୍ଣ୍ଣର ପ୍ରକାର ଭେଦ ଅନୁସାରେ ତାହା ଉପରେ ୫ରୁ ୧୮ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍ଟି ଲାଗିବ। ଜିଏସଟି ପରିଷଦ ବୈଠକ ପରେ ପପକର୍ଣ୍ଣ ଉପରେ ଟିକସ ସମ୍ପର୍କରେ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ପରିଷଦ ସ୍ପଷ୍ଟୀକରଣ ଦେଇଛି। ପରିଷଦ ସ୍ପଷ୍ଟ କରିଛି ଯେ ଯଦି ସାଧାରଣ ଲୁଣ ଓ ମସଲାରେ ପ୍ରସ୍ତୁତ ପପକର୍ଣ୍ଣ ଲେବଲଯୁକ୍ତ ପ୍ୟାକିଂ ନଥାଏ, ତେବେ ତା’ଉପରେ ୫ ପ୍ରତିଶତ ଜିଏସଟି ଆଦାୟ କରାଯିବ। ସେହିପରି ଏହାକୁ ପ୍ୟାକେଜ୍ ଓ ଲେବଲ୍ କରି ବିକ୍ରି କଲେ ଏହା ଉପରେ ୧୨ ପ୍ରତିଶତ ଜିଏସଟି ଲାଗିବ।ସେହିପରି ଯେତେବେଳେ ପପକର୍ଣ୍ଣକୁ ଚିନି ସହିତ ମିଶ୍ରଣ କରି କାରାମେଲାଇଜ୍ କରାଯାଏ, ଏହାକୁ ଏକ ଚିନି କନଫେରେନାରୀ ଭାବରେ ଶ୍ରେଣୀଭୁକ୍ତ କରାଯାଏ । ଏହି କାରଣରୁ ଏହା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ।