ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଘରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣପତି ପୂଜା ଉତ୍ସବରେ ଯୋଗଦେବା ପରେ ଏହାକୁ ନେଇ ଏକ ବିବାଦ ଉପୁଜିଛି। ଆଉ ସୋସିଆଲ ମିଡିଆରେ ଫଟୋ, ଭିଡିଓ ଭାଇରାଲ ପରେ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି।
ଘଟଣାକୁ ନେଇ ସଞ୍ଜୟ ରାଉତଙ୍କ ଠାରୁ ଆରମ୍ଭ କରି ସଞ୍ଜୟ ସିଂ ପରି ନେତା ଭାଜପାକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏହାକୁ କାଉଣ୍ଟର କରି ଭାଜପା କହିଛି, ଗତକାଲିର ପୂଜା ଏବଂ ଆରତୀ ଦେଶର ଅନେକ ଲୋକଙ୍କ ନିଦ ହଜାଇବା ସହ ଖାଇବା ପିଇବା ବିଗାଡି ଦେଇଛି। ଏମପି ସଞ୍ଜୟ ସିଂହ କହିଛନ୍ତି, ଭାଜପା ପୂଜାପାଠକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରେ। ପୂଜା ଓ ବିଶ୍ୱାସକୁ କିଏ ପ୍ରଶ୍ନ ଉଠାଇଲା? ଭାଜପା ପାଇଁ ପୂଜାର ଅର୍ଥ ହେଉଛି ରାଜନୈତିକ ବ୍ୟବହାର। ସେହପରି ଶିବସେନା ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ମଧ୍ୟ କହିଛନ୍ତି, ଏହା ଗଣପତିଙ୍କ ପର୍ବରେ, ଲୋକମାନେ ପରସ୍ପରର ଘରକୁ ଯାଆନ୍ତି। କିନ୍ତୁ ପିଏମ ମୋଦି ଏପର୍ଯ୍ୟନ୍ତ କେତେ ଲୋକଙ୍କ ଘର ପରିଦର୍ଶନ କରିଛନ୍ତି? ମୋ ପାଖରେ ସୂଚନା ନାହିଁ ।ବିରୋଧୀଙ୍କ ଅଭିଯୋଗକୁ ତୀବ୍ର ବିରୋଧ କରି ଶିବସେନା (ସିନ୍ଦେ ଦଳ) ସାଂସଦ ମିଲିନ୍ଦ ଦେଓରା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ବିରୋଧରେ ଏପରି ଭିତ୍ତିହୀନ ଅଭିଯୋଗ କରିବା ଏକ ବିପଜ୍ଜନକ ଉଦାହରଣ। ଦେଓରା କହିଛନ୍ତି ଯେ ସିଜେଆଇଙ୍କର ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ କରିବାକୁ ବିରୋଧୀଙ୍କ ଏହି ପ୍ରୟାସ କେବଳ ଦାୟିତ୍ବହୀନ ନୁହେଁ ବରଂ ଅନୁଷ୍ଠାନର ଅଖଣ୍ଡତାକୁ ମଧ୍ୟ କ୍ଷତି ପହଞ୍ଚାଉଛି।