ବାଲିଗୁଡ଼ା: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରୀଙ୍କୁ ମାଡ଼ ଅଭିଯୋଗ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ବେଳେ ପାଞ୍ଚ ଜଣ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଖେଳ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସୂଚନା ପ୍ରକାରେ ଗତକାଲି ବିଦ୍ୟାଳୟ ପରିସରରେ ମଧ୍ୟାହ୍ନ ଭୋଜନ ଖାଇବା ସମୟରେ ଛାତ୍ରୀଙ୍କ ମଧ୍ୟରେ ଥଟ୍ଟା ମଜା ହେଉଥିବା ବେଳେ ଖେଳ ଶିକ୍ଷକ ଉତକ୍ଷିପ୍ତ ହୋଇ ବାଡ଼ିରେ ପାଞ୍ଚ ଜଣଙ୍କୁ ମାଡ଼ ମାରିଥିଲେ । ଛାତ୍ରୀମାନେ ଘରକୁ ଯିବାପରେ ଘଟଣା ସମ୍ପର୍କରେ ବାପା ମା ଙ୍କୁ ଜଣାଇଥିଲେ । ଆଜି ସକାଳୁ ପରିବାର ଲୋକେ ପିଲାଙ୍କୁ ନେଇ ପ୍ରାଥମିକ ଚିକିତ୍ସା କରାଇବା ପରେ ସ୍କୁଲରେ ପହଁଚିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନୁପସ୍ଥିତ ଥିବା ବେଳେ ଛାତ୍ରୀଙ୍କୁ ମାଡ଼ ଘଟଣାକୁ ନେଇ ଉଭୟ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ବିଦ୍ୟାଳୟ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ମାଡ଼ ମାରିଥିବା ଘଟଣାକୁ ସ୍ବୀକାର କରିଛନ୍ତି ଖେଳ ଶିକ୍ଷକ । ଏକଥା ଦିନକର ନୁହେଁ, ବିଭିନ୍ନ ସମୟରେ ଆମକୁ ବିଦ୍ୟାଳୟର କିଛି ଶିକ୍ଷକ ଶିକ୍ଷୟିତ୍ରୀ ଏଭଳି ମାଡ଼ ମାରିବା ସହ ଗାଳିଗୁଲଜ କରୁଥିବା କହିଛନ୍ତି ଛାତ୍ରୀ । ଅନ୍ୟପଟେ ବାରମ୍ବାର ଆମ ପିଲାମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ବିଦ୍ୟାଳୟର କିଛି ଶିକ୍ଷକ,ଶିକ୍ଷୟିତ୍ରୀ ଏଣୁ ଏହି ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ସମ୍ପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଭାବକ ।