ଭୁବନେଶ୍ୱର (ବ୍ୟୁରୋ): ସୁଭଦ୍ରା ଯୋଜନା ଆରମ୍ଭ ନ ହେଉଣୁ ଲୋକଙ୍କୁ ଠକିବାକୁ ରାଜଧାନୀରେ ଠକ ମାତିଲେଣି । ସୁଭଦ୍ରା ଯୋଜନା ଲାଗି ଆବେଦନ ସମ୍ପୂର୍ଣ୍ଣ ଭାବେ ଦେୟମୁକ୍ତ ବୋଲି ସରକାର ବାରମ୍ବାର ଘୋଷଣା କରୁଛନ୍ତି । ଏହାସତ୍ୱେ ବି ରାଜଧାନୀରେ ମାତିଥିବା ଠକମାନେ କିଛି ବି ସୁଯୋଗ ହାତଛଡ଼ା କରିବାକୁ ପଛାଉନାହାନ୍ତି । ଏହିକ୍ରମରେ ରାଜଧାନୀର ଚନ୍ଦ୍ରଶେଖରପୁର ଏବଂ ଖାରବେଳନଗର ଥାନା ପୋଲିସ ସୁଭଦ୍ରା ଫର୍ମ ବିକ୍ରି କରି ଟଙ୍କା ନେଉଥିବା ୩ ଜଣଙ୍କୁ ଦୁଇଟି ପୃଥକ ପୃଥକ ମାମଲାରେ ଗିରଫ କରିଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଜନସେବା କେନ୍ଦ୍ରରେ କାର୍ଯ୍ୟରତ ଦମ୍ପତି ସସ୍ମିତ ଜେନା ଓ ତାଙ୍କ ସ୍ୱାମୀ ରଞ୍ଜିତ ଜେନା ଲୋକଙ୍କୁ ସୁଭଦ୍ରା ଫର୍ମ ଦେବା ବାବଦକୁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ଆସିଥିଲା । ପରେ ଏନେଇ ବିଭାଗୀୟ କର୍ତୃପକ୍ଷ ଜନସେବା କେନ୍ଦ୍ରରେ ପହଚି ଏହାର ସତ୍ୟାସତ୍ୟ ଯାଞ୍ଜ କରିବା ପରେ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ବିଭାଗୀୟ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ ଏକ ମାମଲା ରୁଜୁ କରିବା ସହ ଠକ ଦମ୍ପତିଙ୍କୁ ଗିରଫ କରିଥିଲା । ଅନ୍ୟଏକ ଘଟଣାକ୍ରମରେ ଖାରବେଳନଗର ଥାନା ଅଚଳରେ ନିଜକୁ ଜନସେବା କେନ୍ଦ୍ରର କର୍ମଚାରୀ ବୋଲି ପରିଚୟ ଦେଇ ଟଙ୍କା ବଦଳରେ ଫର୍ମ ଯୋଗାଉଥିବା ରତିକାନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଡିସିପି ପ୍ରତୀକ ଗୀତା ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସମ୍ବାଦିକମାନଙ୍କୁ ଡିସିପି ଶ୍ରୀ ସିଂ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତମାନ ଭୁବନେଶ୍ୱରରେ ସବୁ ଜାଗାରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପଞ୍ଜିକରଣ କରିବାର ପ୍ରକ୍ରିୟା ଚାଲିଛି । ପ୍ରକ୍ରିୟା କିପରି ଶାନ୍ତିଶୃଙ୍ଖଳାରେ ହେବ ସେ ନେଇ ଭୁବନେଶ୍ୱର ପୋଲିସ ଧ୍ୟାନ ଦେଉଛି । ରାଜଧାନୀରେ ଯେତେ ସବୁ ଜନସେବାକେନ୍ଦ୍ର ଅଛି ସେଠାରେ ସବୁ ସମୟରେ ପୋଲିସ ଅଧିକାରୀମାନେ ପହଚି ସବୁ ଠିକ ଚାଲୁଛି କି ନାହିଁ ଯାଞ୍ଚ କରୁଥିବା ଡିସିପି କହିଥିଲେ । ତେବେ ବିଶେଷ କରି ହିତାଧିକାରୀମାନେ କିପରି ଠକେଇର ଶିକାର ନ ହୁଅନ୍ତି ସେ ପ୍ରତି ପୋଲିସ ବେଶ ଯତ୍ନବାନ ରହିଛି । ଏସବୁ ମଧ୍ୟରେ ବୁଧବାର ଦୁଇଟି ଅଭିଯୋଗ ସାମ୍ନାକୁ ଆସିବା ପରେ ପୋଲିସ ଏପରି କଡ଼ା ଆଭିମୁଖ୍ୟ ଆପଣାଇଥିବା ଡିସିପି ସ୍ପଷ୍ଟ କରିଛନ୍ତି ।