ଆମେରିକୀୟ ଉଦ୍ୟୋଗୀ ତଥା କ୍ରେଡିଟ୍ କାର୍ଡ ପ୍ରସେସିଂ କମ୍ପାନୀ ‘ସିଫ୍ଟସ୍ ଫର୍ ପେମେଣ୍ଟସ୍’ର ପ୍ରତିଷ୍ଠାତା ଜରେଡ୍ ଇସାକ୍ମ୍ୟାନ
ପ୍ରଥମ ନନ୍ପ୍ରଫେଶ୍ନାଲ ଆଷ୍ଟ୍ରନଟ୍ ଭାବେ ସ୍ପେସ୍ଓ୍ବାକ୍ କରି ଇତିହାସ ରଚିଛନ୍ତି। ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ବ୍ୟକ୍ତି ଭାବେ ସେ ମହାକାଶର ସର୍ବାଧିକ ଉଚ୍ଚତାରେ ସ୍ପେସ୍ଓ୍ବାକ୍ କରିଛନ୍ତି। ଏପରି କରିପାରିଥିବା ଅଳ୍ପ କେତେଜଣ ପେସାଦାର ମହାକାଶଚାରୀଙ୍କ ତାଲିକାରେ ମଧ୍ୟ ଇସେକ୍ମ୍ୟାନ ସାମିଲ ହୋଇଛନ୍ତି। ଗୁରୁବାର ଦିନ ଡ୍ରାଗନ କ୍ୟାପ୍ସୁଲ୍ର ହ୍ୟାଚ୍ ଖୋଲିବା ପରେ ଇସାକ୍ମ୍ୟାନଙ୍କର ଏହି ଐତିହାସିକ ସ୍ପେସ୍ ଯାତ୍ରା ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ସେ କ୍ୟାପ୍ସୁଲର ଚାପ କମ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ।
ଯୋଜନା ମୁତାବକ ପ୍ରଥମେ ଇସାକ୍ମ୍ୟାନ କ୍ୟାପ୍ସୁଲରୁ ବାହାରକୁ ଆସିଥିଲେ। ସ୍ପେସ୍ଓ୍ବାକ୍ କରୁଥିବା ସମୟରେ ସେ ପିନ୍ଧିଥିବା ନୂତନ ସ୍ପେସ୍ ସୁଟ୍ ଠିକ୍ ଭାବେ କାମ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ପୂରା ସମୟ ତାଙ୍କୁ ତାଙ୍କ ହାତ କିମ୍ବା ଗୋଡ଼କୁ କ୍ୟାପ୍ସୁଲ ସହ ସଂଲଗ୍ନ ରଖିବାକୁ ପଡ଼ିଥିଲା। ୨ ଘଣ୍ଟା ଧରି ତାଙ୍କର ଏହି ସ୍ପେସ୍ଓ୍ବାକ୍ ଚାଲିଥିଲା। ଇସାକ୍ମ୍ୟାନ ସ୍ପେସ୍ଓ୍ବାକ୍ ଆରମ୍ଭ କରିବାର ୧୫ ମିନିଟ୍ ପରେ ସ୍ପେସ୍ଏକ୍ସ’ର ସ୍ପେସ୍ ଅପରେଶନ ଇଞ୍ଜିନିୟର ତଥା ‘ପୋଲାରିସ୍ ଡନ୍’ ମିଶନର ଅନ୍ୟତମ କ୍ରୁ ସଦସ୍ୟ ସାରାହ ଗିଲ୍ସ କ୍ୟାପଶୁଲରୁ ବାହାରି ଇସାକ୍ମ୍ୟାନଙ୍କୁ ଅନୁସରଣ କରିଥିଲେ। ମଙ୍ଗଳବାର ନାସାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ‘ପୋଲାରିସ୍ ଡନ୍’ ମିଶନକୁ ଲଞ୍ଚ କରାଯାଇଥିଲା।
ଏହାପରେ ‘ସ୍ପେସ୍ ଏକ୍ସ’ର ଡ୍ରାଗନ କ୍ୟାପ୍ସୁଲ ୪ ଜଣ ନନ୍ ପ୍ରଫେଶନାଲ ମହାକାଶଚାରୀଙ୍କୁ ପୃଥିବୀଠାରୁ ୧୪୦୦ କିଲୋମିଟର ଉଚ୍ଚତାରେ ପହଞ୍ଚାଇଥିଲା। ସ୍ପେସ୍ଏକ୍ସ’ର ୪ କ୍ରିଉ ସଦସ୍ୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍ଏସ୍)ର ୩ ଗୁଣା ଉଚ୍ଚରେ ରବିବାର ପର୍ଯ୍ୟନ୍ତ ଅତିବାହିତ କରିବେ। ଇସାକ୍ମ୍ୟାନ ସ୍ପେସ୍ଓ୍ବାକ୍ କରିବା ପୂର୍ବରୁ ମିଶନରେ ଥିବା ସମସ୍ତ ୪ କ୍ରିଉ ସଦସ୍ୟ ମହାକାଶର ଶୂନ୍ୟତାରୁ ରକ୍ଷା ପାଇବା ପାଇଁ ଉଦ୍ଦିଷ୍ଟ ସ୍ପେସ୍ଓ୍ବାକିଂ ସୁଟ୍ ପିନ୍ଧିଥିଲେ। ଯେତେବେଳେ ଇସାକ୍ମ୍ୟାନ ଓ ସାରାହ ସ୍ପେସ୍ଓ୍ବାକ୍ କରୁଥିଲେ, ସେତେବେଳେ ମିଶନର ଅନ୍ୟ ୨ କ୍ରିଉ ସଦସ୍ୟ ପାଇଲଟ ସ୍କଟ୍ ପୋଟିଟ୍ ଏବଂ ସ୍ପେସ୍ଏକ୍ସ ଇଞ୍ଜିନିୟର ଅନ୍ନା ମେନନ୍ କ୍ୟାପ୍ସୁଲ ମଧ୍ୟରେ ନିଜ ଆସନରେ ବସି ରହିଥିଲେ। ଉଭୟେ ଇସାକ୍ମ୍ୟାନ ଏବଂ ସାରାହଙ୍କ ଉପରେ ନଜର ରଖିଥିଲେ। ଏହି ମିଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ୪ କ୍ରିଉ ସଦସ୍ୟଙ୍କୁ ସ୍ପେସ୍ ଏକ୍ସ ପକ୍ଷରୁ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥିଲା। ତେବେ ଇସାକ୍ମ୍ୟାନଙ୍କୁ ସଫଳତା ମିଳିବା ପରେ ସ୍ପେସ୍ଏକ୍ସ ମୁଖ୍ୟ ଏଲନ ମସ୍କ ‘ପୋଲାରିସ୍ ଡନ୍’ ମିଶନକୁ ପ୍ରଶଂସା କରିଛନ୍ତି।