ମାଲକାନଗିରି: ମୁଖ୍ୟମନ୍ତ୍ରୀ ଗୁରୁବାର ଅପରାହ୍ନରେ ମାଲକାନଗିରି ଜିଲ୍ଲା ଗସ୍ତ କରି ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହାସହିତ ୭ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ।
ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିଶନର ଦେଓ ରଞ୍ଜନ ସିଂ, ଦକ୍ଷିଣାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ।
ବୈଠକରେ ଭାଙ୍ଗି ଯାଇଥିବା ସମସ୍ତ କଚ୍ଚା ଘର ନିମନ୍ତେ ତୁରନ୍ତ ସହାୟତା ପ୍ରଦାନ ସହିତ ବିଜୁଳି ସଂଯୋଗୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ କୌଣସି ପ୍ରଭାବିତ ବ୍ୟକ୍ତି ସରକାରୀ ସହାୟତା ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ପ୍ରବଳ ବର୍ଷା ଯୋଗୁଁ ଜଳ ଜନିତ ରୋଗର ସମ୍ଭାବନାକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବ୍ୟାପକ ପୂର୍ବ ପ୍ରସ୍ତୁତି ଯୋଗୁଁ ଜିରୋ କାଜୁଆଲଟି ସମ୍ଭବ ହୋଇପାରିଥିବା କହିଥିଲେ ମୁଖ୍ୟମନ୍ତ୍ରୀ।
ଅପରପକ୍ଷରେ, ପ୍ରତିଦିନ ପାଣିପାଗ ବିଭାଗଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ସତର୍କ ସୂଚନା ସଂପୃକ୍ତ ଜିଲ୍ଲାମାନଙ୍କୁ ନିରନ୍ତର ଭାବେ ପ୍ରେରଣ କରାଯିବ ସହ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରରୁ ୨୪ ଘଣ୍ଟା ପରିସ୍ଥିତି ଉପରେ ନଜର ରଖାଯାଇଥିଲା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।
ସେହିପରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏପରି ଜରୁରୀ ସମୟରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସେବା ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ତେବେ ଓଡ଼ିଶା ରିଲିଫ୍ କୋଡ ଅନୁଯାୟୀ ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ଯଥାଶୀଘ୍ର ପର୍ଯ୍ୟାପ୍ତ ସହଯୋଗ ରାଶି ପ୍ରଦାନ କରାଯିବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଏହା କ୍ରମେ ଘନୀଭୂତ ହୋଇ ଗତ ୮ ତାରିଖରେ ଗଭୀର ଅବପାତରେ ପରିଣତ ହୋଇଥିଲା । ଏହାର ପ୍ରଭାବରେ ୯ ଏବଂ ୧୦ ତାରିଖରେ ମାଲକାନାଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିଲା ।