ଭୁବନେଶ୍ୱର: ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଗୁରୁବାର କୃଷିଭବନ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ଶୀତଳ ଭଣ୍ଡାର ସେବା ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ନିଜ ସଂସ୍ଥାର ସେବା ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରିଥିଲେ । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ନିଖିଲ ପୱନ୍ କଲ୍ୟାଣ ଓ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ସରକାର ତ୍ୱରାନ୍ୱିତ ଭାବେ ଶୀତଳ ଭଣ୍ଡାର ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ନେବାସହ ଏଥିପାଇଁ ସବ୍ସିଡି ସଂପୃକ୍ତ ଉଦ୍ୟୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା କଥା ସିଂହଦେଓ କହିଥିଲେ । ପ୍ରତି ସବ୍ଡିଭିଜନ୍ରେ ଶୀତଳ ଭଣ୍ଡାର ଖୋଲିବା ପ୍ରସ୍ତାବ ଦିଆଯିବା ପରିପ୍ରେକ୍ଷୀରେ କୃଷି ବିଭାଗ ଦ୍ୱାରା ଏହି ତ୍ୱରାନ୍ୱିତ ପଦକ୍ଷେପ ସମେତ ଏକ ବିଦ୍ୟୁତଚାଳିତ ଶୀତଳ ଭଣ୍ଡାର କମ୍ପାନୀ ଓ ଅନ୍ୟଟି ସୌରଚାଳିତ ଶୀତଳ ଭଣ୍ଡାର କମ୍ପାନି ନିଜର ସେବା, ଜ୍ଞାନକୌଶଳ, ଷ୍ଟୋରେଜ କାପାସିଟି, ଖର୍ଚ୍ଚ ଆକଳନ, ବିଶେଷତ୍ୱ ସମ୍ବନ୍ଧୀୟ ତଥ୍ୟ ମନ୍ତ୍ରୀ ସିଂହଦେଓଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା ।
ସେହିପରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପିପିପି ମୋଡ଼୍ରେ ଶୀତଳ ଭଣ୍ଡାରଗୁଡ଼ିକ କାର୍ଯ୍ୟକ୍ଷମ କରିବା ସହ ଏହାର ଅଧିକତମ ଫାଇଦା କୃଷକମାନେ ପାଇବା ଆବଶ୍ୟକ ବୋଲି କହିଥିଲେ । ବିଭାଗୀୟ ଅଧିକାରୀଙ୍କ ଏକ ଦଳ ଏହିସବୁ ସଂସ୍ଥାମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାର ପରିଦର୍ଶନ କରି ବିଭାଗକୁ ତଥ୍ୟ ପ୍ରଦାନ କରିବେ ଏବଂ ଏହି ତଥ୍ୟ ଆଧାରରେ ବିଭାଗ ଆଗାମୀ ନିଷ୍ପତ୍ତି ନେବ ବୋଲି ଡ. ପାଢ଼ୀ କହିଥିଲେ ।