ଭୁବନେଶ୍ୱର: ଗୁରୁବାର ଭୁବନେଶ୍ୱରସ୍ଥିତ କୃଷିଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନେଇ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ୍ କଲ୍ୟାଣଙ୍କ ସମେତ ବହୁ ବରିଷ୍ଠ ଅଧକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ତ ବୈଠକରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମୃତ୍ତିକାର ଗୁଣବତ୍ତା ପ୍ରଭାବିତ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ବିଷୟରେ ଗୁରୁତ୍ୱାରୋପ କରାଯାଇଥିଲା। ମୃତ୍ତିକାର ଗୁଣବତ୍ତା ଅନୁଯାୟୀ ଫସଲ ଲଗାଇବା ସହ ସାର, ଜୈବିକ ଖତ ବ୍ୟବହାର କଲେ ଉତ୍ପାଦନରେ ବୃଦ୍ଧି ଫଳରେ ଚାଷୀ କୃଷିରୁ ଲାଭ ପାଇପାରିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ସରକାରଙ୍କ ଦ୍ୱାରା ମୃତ୍ତିକାର ସ୍ୱାସ୍ଥ୍ୟ ପରୀକ୍ଷଣ ଚାଲିଥିବା ବେଳେ ଚାଷୀ ଗୋଟିଏ ଥର ନିଜ ଜମିର ମୃତ୍ତିକା ପରୀକ୍ଷଣ କଲେ ଏହାର ରିପୋର୍ଟ ୩ ବର୍ଷ ପର୍ଯ୍ୟନ୍ତ ବୈଧ ଥିବା କୁହାଯାଇଥିଲା।
ବର୍ତ୍ତମାନ ସମୟରେ ରାଜ୍ୟରେ ପ୍ରାୟ ୫ ଲକ୍ଷ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଉଥିବା ବେଳେ ସରକାର ଏବେ ଅଧିକରୁ ଅଧିକ ମୃତ୍ତିକା ପରୀକ୍ଷଣ ନିମନ୍ତେ ଚେଷ୍ଟା କରୁଛନ୍ତି । ଆଗକୁ ମେସିନ୍ ସହାୟତାରେ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣ କରିବାକୁ ଯୋଜନା ଥିବା ବେଳେ ଏହା ଦ୍ୱାରା ମାତ୍ର କିଛି ମିନିଟ୍ ମଧ୍ୟରେ ଚାଷୀ ନିଜ ଜମିର ପରୀକ୍ଷଣ ରିପୋର୍ଟ ପାଇପାରିବେ । ଏଭଳି ସୁବିଧା ପ୍ରଦାନକାରୀ ଏକ ବୈଷୟିକ ସଂସ୍ଥା ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ନିଜର ସେବା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ । ତେବେ ଆଗାମୀ ଦିନରେ ଏହାକୁ କୃଷକଙ୍କ ହିତରେ ଓ ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷଣକୁ ସହଜସାଧ୍ୟ କରିବା ନିମନ୍ତେ ବ୍ୟବହାର କରାଯିବାର ଯୋଜନା ରହିଛି ବୋଲି ଶ୍ରୀ ସିଂହଦେଓ କହିଥିଲେ ।