ଲିସବନ: ବିଶ୍ୱର ଚର୍ଚ୍ଚିତ ଫୁଟବଲ ତାରକା କ୍ରିଷ୍ଟିଆନୋ ରୋନୋଲଡୋଙ୍କର ସାମାଜିକ ଗଣମାଧ୍ୟମ (ସୋସିଆଲ ମିଡିଆ)ରେ ଅନୁଗାମୀଙ୍କ ସଂଖ୍ୟା ୧ ବିଲିଅନ, ଅର୍ଥାତ ଏକଶହ କୋଟିରୁ ଅଧିକ । ଏତେସଂଖ୍ୟକ ଅନୁଗାମୀଙ୍କୁ ନେଇ ରୋନୋଲଡୋ ସାମାଜିକ ଗଣମାଧ୍ୟମରେ ଇତିହାସ ସୃଷ୍ଟି କରିଛନ୍ତି । ଏଥିସହିତ ବିଶ୍ୱସ୍ତରରେ ସେ ସର୍ବାଧିକ ପ୍ରଭାବଶାଳୀ ଆଥଲେଟ ଭାବରେ ନିଜକୁ ପ୍ରତିଷ୍ଠିତ କରାଇଛନ୍ତି । ଫୁଟବଲ ପଡିଆରେ ତାଙ୍କ କ୍ୟାରିୟରର ୯୦୦ ଗୋଲ ସ୍କୋର କରିବାର ମାତ୍ର କେଇଦିନ ଭିତରେ ତାଙ୍କୁ ଏହି ସଫଳତା ମିଳିଛି । ତାଙ୍କର ସାମାଜିକ ଗଣମାଧ୍ୟମ ଅନୁଗାମୀଙ୍କ ମଧ୍ୟରେ ଇନଷ୍ଟାଗ୍ରାମରେ ୬୩୯ ନିୟୁତରୁ ଅଧିକ, ଫେସବୁକରେ ୧୭୦ ନିୟୁତ, ଏକ୍ସ’ (ପୂର୍ବର ଟ୍ୱିଟର)ରେ ୧୧୩ ନିୟୁତ ଏବଂ ୟୁଟୁ୍ୟବରେ ୬୦.୫ ନିୟୁତ ରହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ତାଙ୍କର ୟୁଟୁ୍ୟବ ଚାନେଲ ମାତ୍ର ମାସକ ତଳେ ଆରମ୍ଭ ହୋଇଛି । ତଥାପି ସେ ଉକ୍ତ ଚାନେଲରେ ପ୍ରଥମ ଦିନ ହିଁ ୧୫ ନିୟୁତ ସବ୍ସ୍କ୍ରାଇବର ପାଇବାରେ ସଫଳ ହୋଇଥିଲେ ଏବଂ ପ୍ରଥମ ସପ୍ତାହରେ ସେମାନଙ୍କ ସଂଖ୍ୟା ୫୦ ନିୟୁତରେ ପହଞ୍ଚିଯାଇଥିଲା ।
‘ଏକ୍ସ’ରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ରୋନାଲଡୋ ତାଙ୍କର ଏହି ଐତିହାସିକ ସଫଳତା ସମ୍ପର୍କରେ ଘୋଷଣା କରିବା ସହିତ ନିଜର ସମର୍ଥକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅନୁଗାମୀଙ୍କ ସଂଖ୍ୟାରୁ ତାଙ୍କ ପ୍ରତି ବିଶ୍ୱବାସୀଙ୍କର ଗଭୀର ଭଲପାଇବା ପ୍ରତିପାଦିତ ହେଉଥିବା ସେ କହିଛନ୍ତି । ରୋନାଲଡୋ କହିଛନ୍ତି, ତାଙ୍କର ଉତଥାନ, ପତନ ସବୁ ସମୟରେ ଶୁଭେଚ୍ଛୁ ଓ ପ୍ରଶଂସକମାନଙ୍କର ଅକୁଣ୍ଠ ସ୍ନେହ, ସମର୍ଥନ, ଭଲପାଇବା ତାଙ୍କ ପ୍ରତି ରହିଆସିଛି । ସେଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନେ ତାଙ୍କ ଜୀବନର ଅବିଚ୍ଛିନ୍ନ ଅଙ୍ଗ ପାଲଟିଥିବା କହିଛନ୍ତି । ଏଥିସହିତ ସେ ତାଙ୍କର ପ୍ରସିଦ୍ଧ ଉକ୍ତି ‘ମୁଁ କେବେହେଲେ ରେକର୍ଡ ପଛରେ ଧାଏଁ ନାହିଁ, ରେକର୍ଡ ମୋ ପଛରେ ଧାଏଁ’କୁ ସତ ପ୍ରମାଣିତ କରିଛନ୍ତି ।