ଗୁରୁବାର ବିଳମ୍ବିତ ରାତିରେ ଦକ୍ଷିଣପୂର୍ବ ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଓ୍ବେଲମାର୍କ ଲୋପ୍ରେସର ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାନେଇ ଭାରତୀୟ ପାଣିପାଗ ବିଭାଗ (IMD) ସହିତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣପୂର୍ବ ବାଂଲାଦେଶ ଓ ସଲଗ୍ନ ଅଞ୍ଚଳରେ ସକ୍ରିୟ ହୋଇ ଅଧିକ ଘନୀଭୂତ ହେବା ପରେ ଉପକୂଳବର୍ତ୍ତୀ ବାଂଲାଦେଶ ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।
ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଲଘୁଚାପ ପ୍ରଭାବରେ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏଣୁ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜର ଜିଲ୍ଲାପାଳ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ସହ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି । ସେହିପରି ୭୦ ରୁ ୨୦୦ ମିଲିମିଟର ବର୍ଷା ନେଇ ୫ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଦେବଗଡ଼ ଏବଂ ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣଂ ଜାରି ହୋଇଛି। ଏହା ବ୍ୟତୀତ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ସମୟରେ ଘଣ୍ଟା ପ୍ରତି ୪୦ରୁ ୫୦କିଲୋମିଟର ବେଗରେ ବହିବ ପବନ। ଆଜିଠାରୁ ୧୫ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରର ହୀରାକୁଦରେ ସର୍ବାଧିକ ୮.୦ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଅପରପକ୍ଷରେ, କୋରାପୁଟ କୋଲାବ ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଜଳଭଣ୍ଡାରର ଗୋଟିଏ ଗେଟ୍ ଖୋଲାଯିବା ନେଇ ଅପର କୋଲାବ ଜଳଭଣ୍ଡାର ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହାସହିତ ଡ୍ୟାମ୍ ନିମ୍ନ ଭାଗରେ ଥିବା ଲୋକଙ୍କୁ ଆଗୁଆ ସତର୍କ କରାଯାଇଛି।