ହାଇଦରାବାଦ: ଏଣିକି ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଟ୍ରାନ୍ସଜେଣ୍ଡର (ତୃତୀୟ ଲିଙ୍ଗୀ)ଙ୍କୁ ନିୟୋଜିତ କରାଯିବ । ତେଲେଙ୍ଗାନା ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ତୃତୀୟ ଲିଙ୍ଗୀଙ୍କୁ ତାଲିମ ଦିଆଯାଇ ହାଇଦରାବାଦର ଟ୍ରାଫିକ ପୋଲିସରେ ନିଯୁକ୍ତ କରାଯିବ । ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡି ଏ ସମ୍ପର୍କରେ ସରକାରଙ୍କର ନୂଆ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନା ଅନୁଯାୟୀ ତୃତୀୟ ଲିଙ୍ଗୀଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ତାଲିମ ଦିଆଯିବ । ସେମାନେ ମହାନଗରର ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିବା ଟ୍ରାଫିକ ପୋଲିସଙ୍କୁ ସହାୟତା କରିବେ । ଏହାଦ୍ୱାରା ସଡ଼କ ପରିଚାଳନା ସହଜ ଓ ସୁରୁଖୁରୁରେ ହୋଇପାରିବ । ତାହାସହିତ ସମାଜରେ ଉପଯୁକ୍ତ ସୁଯୋଗରୁ ବଞ୍ଚିତ ହେଉଥିବା ବର୍ଗଙ୍କୁ ସଶକ୍ତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଭଳି ତୃତୀୟ ଲିଙ୍ଗୀ ଟ୍ରାଫିକ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ୟୁନିଫର୍ମ (ପୋଷାକ) ମଧ୍ୟ ପ୍ରଚଳନ କରାଯିବ । କେବଳ ଭାରତ ନୁହେଁ, ବିଶ୍ୱରେ ଏଭଳି ପଦକ୍ଷେପ ପ୍ରଥମ କରି ନିଆଯାଉଛି ବୋଲି ଶ୍ରୀ ରେଡ୍ଡି କହିଛନ୍ତି ।