ଆଇଏସଏସ: ସପ୍ତାହକ ପାଇଁ ମହାକାଶକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ଏବେ ମହାକାଶରେ ଅଟକି ରହିଛନ୍ତି । ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରେ ପୂର୍ବରୁ ରହିଥିବା ମହାକାଶଚାରୀଙ୍କ ସହିତ ଏହି ଦୁଇ ମହାକାଶଚାରୀ ରହି ସେମାନଙ୍କୁ ଗବେଷଣା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରୁଛନ୍ତି । ଆମେରିକୀୟ ମହାକାଶ ସଂସ୍ଥା ସୂତ୍ର ଅନୁଯାୟୀ ସେମାନେ ୨୦୨୫ ଫେବୃଆରୀରେ ଭୂପୃଷ୍ଠକୁ ଫେରିବା ସମ୍ଭାବନା ରହିଛି । ଦୀର୍ଘକାଳ ମହାକାଶରେ ରହିବା କାରଣରୁ ସେମାନଙ୍କ ଉପରେ ଶାରୀରିକ ଓ ମାନସିକ ଚାପ ପଡିବା ନେଇ ଅନେକ ଅନୁମାନ କରୁଛନ୍ତି । ତେବେ ସୁନୀତା କହିଛନ୍ତି, ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ତାଙ୍କ ପାଇଁ ଆନନ୍ଦର ସ୍ଥାନ ପାଲଟିଛି । ଏଠାରେ ଜୀବନ ଯେତିକି କଷ୍ଟକର ବୋଲି ଭୂପୃଷ୍ଠବାସୀ ଅନୁମାନ କରୁଛନ୍ତି, ତାହା ସେଭଳି କଷ୍ଟକର ଅଥବା ଜଟିଳ ନୁହେଁ । କାରଣ ଉଭୟ ମହାକାଶଚାରୀ ପୂର୍ବରୁ ମହାକାଶ ଯାତ୍ରା କରିବାର ଅଭିଜ୍ଞତା ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ ସେମାନଙ୍କୁ ନେଇ ମହାକାଶକୁ ଯାଇଥିବା ବୋଇଂ ଷ୍ଟାରଲାଇନର କ୍ୟାପସୁଲ ଗତ ସପ୍ତାହରେ ବିନା ଯାତ୍ରୀରେ ଭୂପୃଷ୍ଠକୁ ଫେରିଆସିବାର ସପ୍ତାହକ ପରେ ସୁନୀତା ସର୍ବସାଧାରଣରେ ଏଭଳି ବିବୃତ୍ତି ରଖିଛନ୍ତି ।
ସାମୟିକ ସମୟ ପାଇଁ ଯାଇଥିବା ସୁନୀତା ଓ ୱିଲମୋର ଏବେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପୂର୍ଣ୍ଣକାଳୀନ କ୍ରିୟୁ ସଦସ୍ୟ ପାଲଟି ଯାଇଛନ୍ତି । ସେମାନେ ସମୟ ବ୍ୟବଧାନରେ ମହାକାଶ କେନ୍ଦ୍ରର ରକ୍ଷଣାବେକ୍ଷଣ, ମରାମତି ଓ ପରୀକ୍ଷା ନିରୀକ୍ଷା କାର୍ଯ୍ୟ କରୁଛନ୍ତି । ଆଉ କିଛି ସପ୍ତାହ ପରେ ସୁନୀତା ମହାକାଶ କେନ୍ଦ୍ରର କମାଣ୍ଡ ଦାୟିତ୍ୱ ସମ୍ଭାଳିବେ । ଏହି ଦୁଇ ମହାକାଶଚାରୀଙ୍କ ସହିତ ମହାକାଶ କେନ୍ଦ୍ରରେ ଅନ୍ୟ ସାତଜଣ ପୂର୍ବରୁ ରହିଛନ୍ତି ।