ମୁମ୍ବଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଶେଷରେ ନିଜ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି । କିଛି ପ୍ରଶଂସକ ତାଙ୍କୁ ସେଲଫି ଉଠାଇବାକୁ ଅନୁରୋଧ କରିବା ସତ୍ୱେ ସେ ତାହା ନକରି ଚାଲିଯାଇଥିଲେ । ପରେ ରବିନା ନିଜର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିବା ସହିତ ସେ କାହିଁକି ସେଠାରେ ନଅଟକି ଚାଲିଯାଇଥିଲେ ତାହା ସ୍ପଷ୍ଟ କରିଛନ୍ତି ।
ନିକଟରେ ରବିନା ଲଣ୍ଡନ ଯାଇଥିବାବେଳେ ସେଠାରେ କିଛି ତାଙ୍କର କିଛି ପ୍ରଶଂସକ ତାଙ୍କ ସହିତ ସେଲଫି ନେବାକୁ ଅନୁରୋଧ କରିଥିଲେ । କିନ୍ତୁ ରବିନା ଏତେସଂଖ୍ୟକ ଲୋକଙ୍କୁ ଦେଖି ସେଠାରୁ ପଳାଇ ଯାଇଥିଲେ । ପରେ ‘ଏକ୍ସ’ରେ ଏଥିପାଇଁ କ୍ଷମା ମାଗିଛନ୍ତି । ଅଭିନେତ୍ରୀ କହିଛନ୍ତି, ସେ ଏକା ଥିବାବେଳେ ଏତେସଂଖ୍ୟକ ଲୋକଙ୍କୁ ଦେଖି ଡରି ଯାଇଥିଲେ । କାରଣ ନିକଟରେ ତାଙ୍କ ବିରୋଧରେ ଏକ ମିଥ୍ୟା ଅଭିଯୋଗ ଅଣାଯାଇଥିଲା ଯେ ମୁମ୍ବଇର ବାନ୍ଦ୍ରାରେ ସେ ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇ ଦୁର୍ଘଟଣା ଘଟାଇଥିଲେ । ମୁମ୍ବଇ ପୋଲିସ ମଧ୍ୟ ଏହି ଘଟଣାରେ ତାଙ୍କୁ କ୍ଲିନ ଚିଟ୍ ଦେଇଥିଲା । ଏହି ଘଟଣାକୁ ନେଇ କାଳେ କିଛି ଅଘଟଣ ଘଟିବ, ସେହି ଭୟରେ ରବିନା ପ୍ରଶଂସକଙ୍କୁ ଏଡାଇ ପଳାଇ ଯାଇଥିବା କହିଛନ୍ତି ।
ଏଭଳି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରି ରବିନା କହିଛନ୍ତି, ପ୍ରଶଂସକମାନଙ୍କ ସହିତ ସେ ଫଟୋ ଉଠାଇବା ଉଚିତ ଥିଲା । ସେମାନେ ସମ୍ଭବତଃ ନିରୀହ ଲୋକମାନେ ଥିଲେ; କିନ୍ତୁ ସେ ନିଜେ ଭୟଭୀତ ଅବସ୍ଥାରେ ସେଠାରୁ ଦ୍ରୁତ ବେଗରେ ପଳାଇ ଆସିବା ସହିତ ଜଣେ ସୁରକ୍ଷାକର୍ମୀଙ୍କ ସହାୟତା ଲୋଡିଥିଲେ । ପରେ ଏ ସମ୍ପର୍କରେ ଚିନ୍ତା କରିବା ପରେ ସେ ଅନୁତାପ କରିଛନ୍ତି । ପ୍ରଶଂସକମାନେ ତାଙ୍କୁ କ୍ଷମା କରିଦେବାକୁ ରବିନା କହିଛନ୍ତି ।