ପୂର୍ବ ଲଦାଖସ୍ଥିତ ଗଲଓ୍ବାନ ଘାଟି ସମେତ ୪ଟି ଅଞ୍ଚଳରୁ ଚୀନ ପକ୍ଷରୁ ସୈନ୍ୟ ପ୍ରତ୍ୟାହାର କରାଯାଇଛି। ଏନେଇ ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପୂର୍ବ ଲଦାଖରେ ଭାରତ ଏବଂ ଚୀନ ମିଳିତ ଭାବେ ସେନା ପ୍ରତ୍ୟାହାର ସମସ୍ୟାର ୭୫% ସମାଧାନ ସରିଥିବା ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମନ୍ତବ୍ୟ ଦେଇଛନ୍ତି। ଏଲଏସିରେ ପରିସ୍ଥିତି ସ୍ଥିର ଏବଂ ନିୟନ୍ତ୍ରଣାଧୀନ ରହିଥିବା ଚୀନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟଯେ, ଏଲଏସିରେ ଦୁଇ ଦେଶର ସୈନ୍ୟ ମାନଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ଦ୍ଵିପାକ୍ଷିକ ସମ୍ପର୍କ ପ୍ରଭାବିତ ହୋଇଛି । ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପୁନଃସ୍ଥାପନ ଲାଗି ସୀମାରୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର ଜରୁରୀ ବୋଲି ଭାରତ କହିବା ସହିତ ବାରମ୍ବାର ବିଭିନ୍ନ ସ୍ତରରେ ଚୀନ ଉପରେ ଚାପ ପକାଇବା ପରେ ଗଲଓ୍ବାନ ଘାଟି ସମେତ ୪ଟି ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର କରିନେଇଛି। କିନ୍ତୁ ଡେମଚୋକ ଏବଂ ଡେପସାଙ୍ଗ ଅଞ୍ଚଳରେ ସୈନ୍ୟ ଅପସାରଣ ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନାରେ କୌଣସି ଅଗ୍ରଗତି ହୋଇ ନ ଥିବା ସୂଚନା ମିଳିଛି।
ପ୍ରକାଶ ଥାଉ କି, ଗତ ଗୁରୁବାର ସେଣ୍ଟ ପିଟର୍ସବର୍ଗରେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଭାରତର ଏନଏସଏ ଅଜିତ ଡୋଭାଲଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସୀମା ସମସ୍ୟା ନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆପୋସ ବୁଝାମଣା ଜରିଆରେ ସମସ୍ୟାର ସମାଧାନ ଲାଗି ଦୁଇ ଅଧିକାରୀ ସହମତି ପ୍ରକାଶ କରିଥିବା ସୂଚନା ମିଳିଛି।