ନୂଆଦିଲ୍ଲୀ: ଦେଶରେ ରବିବାର ଠାରୁ ଛଅଟି ନୂଆ ବଂଦେଭାରତ ଏକ୍ସପ୍ରେସର ଚଳାଚଳ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର୍ ମୋଦୀ ଭର୍ଚୁଆଲ ପଦ୍ଧତିରେ ଏହି ଟ୍ରେନଗୁଡିକର ଚଳାଚଳ ଶୁଭାରମ୍ଭ କରିଛନ୍ତି । ଏହି ନୂଆ ବଂଦେଭାରତ ଝାଡଖଣ୍ଡ, ଓଡ଼ିଶା, ବିହାର ଏବଂ ଉତ୍ତର ପ୍ରଦେଶରେ ଚଳାଚଳ କରିବ । ଖରାପ ପାଗ କାରଣରୁ ମୋଦୀଙ୍କର ଟାଟାନଗର ଠାରେ ଥିବା କାର୍ଯ୍ୟକ୍ରମ ବାତିଲ ହେବାପରେ ସେ ରାଞ୍ଚିରେ ଏହି ଟ୍ରେନଗୁଡିକର ଚଳାଚଳ ରବିବାର ଶୁଭାରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଭର୍ଚୁଆଲ ପଦ୍ଧତିରେ ଏଗୁଡିକର ଚଳାଚଳକୁ ପତାକା ଦେଖାଇ ଆରମ୍ଭ କରିଥିବାବେଳେ ଟାଟାନଗର ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚଉହାନ୍ ଏବଂ ଝାଡଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର ଉପସ୍ଥିତ ଥିଲେ । ନୂଆ ଟ୍ରେନଗୁଡିକ ହେଉଛି ଟାଟାନଗର-ପାଟନା, ବ୍ରହ୍ମପୁର-ଟାଟାନଗର, ରାଉରକେଲା-ହାଓଡା, ଦେଓଗର-ବାରଣାସୀ, ଭାଗଲପୁର-ହାଓଡା ଏବଂ ଗୟା-ହାଓଡା । ଏଗୁଡିକ ଯାତ୍ରୀମାନଙ୍କୁ ଦ୍ରୁତତର ଯାତାୟତ ସେବା ଯେଗାଇଦେବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳାୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ଏହାଦ୍ୱାରା ନିୟମିତ ରେଳଯାତ୍ରୀ, ବୃତ୍ତିଧାରୀ, ବ୍ୟବସାୟୀ ଏବଂ ଛାତ୍ର ଛାତ୍ରୀ ବିଶେଷ ଭାବରେ ଉପକୃତ ହେବେ । ତାହାସହିତ ଏହି ଟ୍ରେନଗୁଡିକ ଉକ୍ତ ଅଞ୍ଚଳରେ ଧର୍ମୀୟ ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ ।