ମିରଟ: ଉତ୍ତରପ୍ରଦେଶର ମିରଟରେ ଏକ ତିନି ମହଲା କୋଠା ଭୁଶୁଡି ପଡିବା ଫଳରେ ୧୦ ଜଣଙ୍କର ପ୍ରାଣହାନି ଘଟିଛି । ଧ୍ୱଂସସ୍ତୁପ ତଳୁ ଅନ୍ୟ କେତେକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଭୀଷଣ ବର୍ଷା ପ୍ରଭାବରେ ଉକ୍ତ କୋଠା ଭାଙ୍ଗିପଡିଥିବା ମିରଟ ପୋଲିସ କହିଛି । ଏଯାଏ ଭଙ୍ଗା ଘର ତଳୁ ୬ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ପୋଲିସ ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ଚାରିଜଣ ପିଲା ଅଛନ୍ତି । ମିରଟର ଜାକିର କଲୋନିରେ ଶନିବାର ରାତିରେ ଏହି ଅଘଟଣ ଘଟିଥିଲା ।
ଏ ସମ୍ପର୍କରେ ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ବାହିନୀ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବାହିନୀ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ସେଠାରେ ଏବେ ମଧ୍ୟ ଭାରି ବର୍ଷା ଲାଗିରହିଥିବା ଜଣାଯାଇଛି । ଉକ୍ତ କୋଠାଟି ପ୍ରାୟ ୩୫ ବର୍ଷର ପୁରୁଣା ଏବଂ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା କୁହାଯାଉଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଚଳିତ ସେପ୍ଟେମ୍ବର ୭ ତାରିଖରେ ଲଖନଉସ୍ଥିତ ଟ୍ରାନ୍ସପୋର୍ଟ ନଗରରେ ଏକ ତିନିମହଲା ବିଶିଷ୍ଟ ଗୃହ, ଗୋଦାମ ଏବଂ ମୋଟର ମରାମତି କାରଖାନା ଭାଙ୍ଗିପଡିବା ଫଳରେ ୮ଜଣଙ୍କର ପ୍ରାଣହାନି ଘଟିଥିଲା । ଉକ୍ତ ଦୁର୍ଘଟଣାରେ ୨୮ରୁ ଅଧିକ ଲୋକ ଆହତ ହୋଇଥିଲେ ।