ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ତେବେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହାର ତୀବ୍ରତା ଅଧିକ ରହିବ ଏବଂ ଏହା ପରେ ଦୁର୍ବଳ ହେବା ସହ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଧୀରେଧୀରେ ଏହା ଝାଡ଼ଖଣ୍ଡ ଓ ଦକ୍ଷିଣ ଛତିଶଗଡ ଆଡକୁ ଗତି କରି ଉପକୂଳ ଅତିକ୍ରମ କରିବ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ସୋମବାର ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କିଛି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ବାଲେଶ୍ବର ଓ କେନ୍ଦୁଝର । ସେହିପରି ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଅପରପକ୍ଷରେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି।
ଅପରପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳକା ନଦୀ ଫୁଲୁଥିବା ବେଳେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ବାଲେଶ୍ବର ଜିଲ୍ଲା ମଥାନୀଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବାବେଳେ ରବିବାର ରାତିଠାରୁ ଜଳକା ନଦୀର ଜଳସ୍ତର ବଢ଼ି ୬.୫୧ ମିଟରରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବନ୍ୟା ହେବାର ସମ୍ଭାବନା ରହିଛି। ତେବେ ଗତ ୨ ଦିନରୁ ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ ତଥା ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବର୍ଷା ଯୋଗୁଁ ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପାଣି ଜମିବା ସହ କିଛି ନଦୀରେ ଜଳପତ୍ତନ ବୃଦ୍ଧି ଘଟିବା ଆଶଙ୍କା ଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି।