ସାଂଘାଇ: ସୋମବାର ସାଂଘାଇରେ ବାତ୍ୟା ‘ବେବିଙ୍କା’ ଳ୍ୟାଣ୍ଡଫଲ କରି ତାଣ୍ଡବ ରଚିଛି। ସ୍ଥାନୀୟ ସମୟ ପ୍ରାୟ ୭.୩୦ରେ ଏହା ଲ୍ୟାଣ୍ଡଫଲ କରିଥିବା ନେଇ ସାଂଘାଇ ସେଣ୍ଟ୍ରାଲ ମେଟେରୋଲୋଜିକାଲ ଅବଜରଭେଟୋରୀ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ବାତ୍ୟା ଚୀନର ୧୩ତମ ବାତ୍ଯା ହୋଇଥିବା ବେଳେ ଗତ ୭୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଶକ୍ତିଶାଳୀ ବାତ୍ଯା ବୋଲି କୁହାଯାଉଛି। ଏହା ପୂର୍ବରୁ ୧୯୪୯ ରେ ଭୀଷଣ ବାତ୍ୟା ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସିହ୍ନୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଲ୍ୟାଣ୍ଡଫଲ କରିବା ପରେ ଏହି ବାତ୍ୟା ସାଂଘାଇର ‘ପୁଡଙ୍ଗ ଜିଲ୍ଲା’ର ଲିଙ୍ଗଙ୍ଗ ଅଞ୍ଚଳରେ ସେକେଣ୍ଡ ପ୍ରତି ୪୨ ମିଟର ବେଗରେ ପବନ ବୋହୁଛି। ଏହି ସୂଚନା କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ ପର୍ଯ୍ୟବେକ୍ଷଣକାରୀ ପକ୍ଷରୁ ମିଳିଛି ।
ଏହି ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ରବିବାର ଚୀନର ବନ୍ୟା ନିୟନ୍ତ୍ରଣ ଏବଂ ମରୁଡ଼ି ସହାୟତା ମୁଖ୍ୟାଳୟ ପକ୍ଷରୁ ପୂର୍ବ ଅନୁହୁଇ ପ୍ରଦେଶ ପାଇଁ ଲେଭଲ-୪ ଜରୁରୀକାଳୀନ ସଙ୍କେତ ସହିତ ସାଂଘାଇ ଏବଂ ଜେଜିଆଙ୍ଗରେ ଲେଭଲ-୩ ଜରୁରୀକାଳୀନ ସଙ୍କେତ ଦିଆଯାଇଛି। ସାଂଘାଇ, ଜିଆଙ୍ଗସୁ, ଜେଜିଆଙ୍ଗ ଏବଂ ଅନୁହୁଇ ପ୍ରଦେଶରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାଇନାର ଜଳ ସମ୍ପଦ ମନ୍ତ୍ରଣାଳୟ ପକ୍ଷରୁ ଲେଭଲ-୪ ଜରୁରୀକାଳୀନ ସଂକେତ ଜାରି କରିଛି। ତେବେ ସହରକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ବନ୍ଦ କରିଦିଆଯାଇଥିବାବେଳେ ରବିବାର ରାତିରୁ ସମସ୍ତ ଉଡାଣକୁ ବାତିଲ କରି ଦିଆଯାଇଛି ।