ସୋମବାର ଦେଶରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନ ଉଦ୍ଘାଟିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪.୧୫ରେ ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଚାଲୁଥିବା ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଉଦ୍ଘାଟନ କରିବେ। ତେବେ ଉଦ୍ଘାଟନୀ ସମାରୋହ ପୂର୍ବରୁ ଏହାର ନାମ ପରିବର୍ତ୍ତନ କରାଯାଇ ‘ବନ୍ଦେ ଭାରତ ମେଟ୍ରୋ ଟ୍ରେନ’ ରୁ ‘ନମୋ ଭାରତ ରାପିଡ ରେଳ’ କରାଯାଇଛି। ଏନେଇ ରେଳବାଇ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଟ୍ରେନର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରଣାଳୟ ଅନୁମୋଦନ କରିଛନ୍ତି।
ଏହି ନାମୋ ଭରତ ରାପିଡ ରେଳ ବିଶେଷକରି ଗୁଜରାଟ ବାସିନ୍ଦାଙ୍କ ପାଇଁ ଏକ ବଡ ଉପହାର ଭାବରେ ବିବେଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଭୁଜ ଏବଂ ଅହମ୍ମଦାବାଦ ମଧ୍ୟରେ ଏହି ରେଳର ଶୁଭାରମ୍ଭ ହେବ। ଏହି ଟ୍ରେନ ୫ ଘଣ୍ଟା ୪୫ ମିନିଟରେ ଭୁଜ-ଅହମ୍ମଦାବାଦ ମଧ୍ୟରେ ଥିବା ଦୂରତା ଅତିକ୍ରମ କରିବାକୁ ଥିବା ବେଳେ ଏହି ସମୟରେ ଯାତ୍ରୀଙ୍କ ଭଡା ୪୫୫ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଟ୍ରେନରେ ୧୨ଟି କୋଚ ରହିବା ସହିତ ଏହା ୧୧୫୦ ଯାତ୍ରୀଙ୍କୁ ନେଇ ଯାତ୍ରା କରିବାର କ୍ଷମତା ରଖିଛି। ରେଳ ଅଧିକାରୀଙ୍କ ଅନୁଯାୟୀ, ଏହି ‘ନମୋ ଭାରତ ରାପିଡ ରେଳ’ ଗୁଡିକ ଦେଶରରେ ସ୍ବଳ୍ପ ଦୂରତା ପାଇଁ ଚାଲିବାକୁ ଥିବା ବେଳେ ପ୍ରଥମେ ଗୁଜରାଟର ଅହମ୍ମଦାବାଦ ଏବଂ ଭୁଜ ମଧ୍ୟରେ ଏହାକୁ ଲଞ୍ଚ କରାଯାଇଛି।