ମଙ୍ଗଳବାର ଭାରତରେ କ୍ରମାଗତ ୩ଥର ପ୍ରଧାନମନ୍ତ୍ରୀ ହେବାର ବିରଳ ରେକର୍ଡ କରିଥିବା ନରେନ୍ଦ୍ର ମୋଦୀ ୭୪ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୧୯୫୦ ମସିହା ସେପ୍ଟମ୍ବର ୧୭ ତାରିଖରେ ଗୁଜୁରାଟର ବଡନଗରରେରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ମୋଦି ଜଣେ ପ୍ରଭାବୀ ରାଜନେତା ତଥା ରାଷ୍ଟ୍ରମୁଖ୍ୟ ଭାବେ ସଫଳ ପରିଚୟ ସୃଷ୍ଟି କରିଛନ୍ତି ।ଦାମଦୋର ଦାସ ମୋଦି ଓ ହୀରାବେନଙ୍କ ଠାରୁ ଜନ୍ମିତ ମୋଦିଙ୍କ ସମ୍ପୂର୍ଣ୍ଣ ନାଁ ହେଉଛି ନରେନ୍ଦ୍ର ଦାମୋଦର ଦାସ ମୋଦି। ବାଲ ସ୍ବଂୟସେବକରୁୁ ସେ ତାଙ୍କ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୭୨ରେ ସେ ପ୍ରଥମ କରି ସ୍ବଂୟସେବକ ସଂଘ (ଆରଏସଏସ) ରେ ଯୋଗଦାନ କଲେ । ଜଣେ ବାଳ ସ୍ବଂୟସେବକ ଭାବେ ସଂଘରେ ଜୀବନ ଆରମ୍ଭ କରି ମୋଦି ପରବର୍ତ୍ତୀ ସମୟରେ ଆଜୀବନ ପ୍ରଚାରକ ହେବା ପାଇଁ ନିଷ୍ପତ୍ତି ନେଇ ୧୯୮୦ ମସିହାରେ ସଂଘର ‘ସଂଭାଗ ପ୍ରଚାରକ’ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୮୭ରେ ବିଜେପିରେ ସାମିଲ ହେବା ପରେ ସେ ଗୁଜୁରାଟ ଶାଖାର ସଂଗଠନ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ। ସେହିବର୍ଷ ବିଜେପି ପକ୍ଷରୁ ଅମହମ୍ମଦାବାଦ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ସହ ସେହିବର୍ଷ ହୋଇଥିବା ନ୍ୟାୟ ଯାତ୍ରା ଓ ଲୋକଶକ୍ତି ଯାତ୍ରାରେ ମୋଦି ତାଙ୍କର ସାଙ୍ଗଠନିକ କୁଶଳତା ମଧ୍ୟ ଦେଖାଇଥିଲେ। ୧୯୯୫ରେ ମୋଦି ବିଜେପିର ଜାତୀୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ୨୦୦୧ରେ ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କୌଣସି ନିର୍ବାଚନ ନ ଲଢି ମୋଦି ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଉପନିର୍ବାଚନରେ ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଥିଲେ । ୨୦୦୨ରେ ମୋଦିଙ୍କ ନେତୃତ୍ବରେ ବିଜେପି ଗୁଜୁରାଟରେ ପୁଣି କ୍ଷମତା ହାସଲ କରିବା ସହ ୨୦୦୭ ମସିହାରେ ତୃତୀୟ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୪ ପର୍ଯ୍ୟନ୍ତ ସେ ପ୍ରାୟ ୧୪ ବର୍ଷ ଅର୍ଥାତ ୩ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିବା ପରେ ଜାତୀୟ ରାଜନୀତିରେ ପ୍ରବେଶ କରି ୨୦୧୪ରେ ସେ ପ୍ରଥମ ଥର ଲୋକସଭା ନିର୍ବାଚନରେ ବାରାଣସୀରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ୨୦୧୪ରେ କଂଗ୍ରେସକୁ ପରାଜୟ କରି ବିଜେପି କେନ୍ଦ୍ରରେ ପ୍ରଥମ ପୂର୍ଣ୍ଣ ସରକାର ଗଠନ କରିଥିବା ବେଳେ ୨୦୧୯ ରେ ମଧ୍ୟ ଏହି ଧାରା ବଜାୟ ରଖିବାରେ ସଫଳ ହୋଇଥିଲା । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ କ୍ରମାଗତ ଦ୍ବିତୀୟ ଥର ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରି ପ୍ରଧାନମନ୍ତ୍ରୀ ହେବାରେ ନରେନ୍ଦ୍ର ମୋଦି ଦ୍ବିତୀୟ ଭାରତୀୟ ରାଜନେତା। ମୋଦିଙ୍କ ନେତୃତ୍ବରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତାର ସହ କ୍ରମାଗତ ଦୁଇଥର କେନ୍ଦ୍ରରେ ସରକାର ଗଠନ କରିଥିଲା ।
ରାଜନୈତିକ ସଫଳତା ଓ ପ୍ରଧାନମନ୍ତ୍ରୀ ଭାବେ ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ସହ ସମକକ୍ଷ ହେବାରେ ପ୍ରଥମ ରାଜନେତା । ନେହେରୁ କ୍ରମାଗତ ୩ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଥିଲେ । ସେହିପରି ନରେନ୍ଦ୍ର ମୋଦି ୨୦୧୪ ଓ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ କ୍ରମାଗତ ୩ ଥର ପ୍ରଧାନମନ୍ତ୍ରୀ ହୋଇ ଦ୍ବିତୀୟ ଭାରତୀୟ ରାଜନେତା ଭାବେ ଏହି ରେକର୍ଡର ସମକ୍ଷକ ହୋଇଛନ୍ତି।
ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗୋଷ୍ଠୀ ନିରପେକ୍ଷତାରୁ ଦୂରରେ ରହିଆସିଥିବା ଭାରତର ଏକାଧିକ ଦେଶ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ ହେବା ସହ ବିଦେଶ ନୀତିରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ସେହିପରି ଜାତିସଂଘର ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୋଦି । ଜି-20 ସମ୍ମିଳନୀର ସଫଳ ଆୟୋଜନ ସହିତ ଋଷ, ଭୁଟାନ, ଇଜିପ୍ଟ ପରି ଏକାଧିକ ଦେଶରେ ସେ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।