କଲକାତା: ବିକ୍ଷୋଭକାରୀ ଡାକ୍ତରମାନଙ୍କ ସହିତ ଉଚ୍ଚସ୍ତରୀୟ ପୁନର୍ବାର ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଲୋଚନା ପରେ ସେ ଦୁଇଜଣ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବଂ କଲକାତା ପୋଲିସ କମିଶନର ଓ ଅନ୍ୟଜଣେ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।
ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମମତା କହିଛନ୍ତି, ଡାକ୍ତରୀ ଛାତ୍ର ଛାତ୍ରୀଙ୍କର ସମସ୍ତ ଦାବି ପୂରଣ କରାଯାଇପାରିବ ନାହିଁ । ତେବେ ସେମାନଙ୍କର ୯୯ ପ୍ରତିଶତ ଦାବିକୁ ସରକାର ଗ୍ରହଣ କରିଛନ୍ତି । ତେବେ ଶିକ୍ଷାନବୀଶ ଡାକ୍ତରମାନେ କହିଥିଲେ, ଉକ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବହିଷ୍କାର କରାନଯିବା ପର୍ଯ୍ୟନ୍ତ ସେମାନେ ସେମାନଙ୍କର ବିକ୍ଷୋଭରୁ ଓହରିବେ ନାହିଁ । ସେମାନେ ସେମାନଙ୍କର ଅନ୍ୟ ସାଥୀ ଛାତ୍ର ଛାତ୍ରୀ, ନର୍ସିଂ ଛାତ୍ରୀ ଏବଂ ବିକ୍ଷୋଭରେ ସକ୍ରିୟ ଭାବରେ ସାମିଲ ଅନ୍ୟମାନଙ୍କ ସହିତ ଆଲୋଚନା କରିବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସେମାନେ ଏହା ଜଣାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିକ୍ଷୋଭକାରୀ ଛାତ୍ର ଛାତ୍ରୀ ତିନିଜଣ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ । ସେ ଦୁଇଜଣଙ୍କୁ ବହିଷ୍କାର କରିଛନ୍ତି । ତେଣୁ ବିକ୍ଷୋଭକାରୀଙ୍କର ୯୯ ପ୍ରତିଶତ ଦାବି ପୂରଣ କରାଯାଇଛି । ଏବେ ସେମାନେ ବିକ୍ଷୋଭରୁ ଓହରି ନିଜ କାର୍ଯ୍ୟରେ ଯୋଗଦେବାକୁ ମମତା ଅନୁରୋଧ କରିଛନ୍ତି ।