ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ଯେଉଁଭଳି ଭାବରେ ଆର୍ଥିକ କ୍ଷେତ୍ରରେ ପ୍ରଦର୍ଶନ କରୁଛନ୍ତି ସେଥିରେ ବ୍ୟାପକ ତାରତମ୍ୟ ଦେଖିôବାକୁ ମିଳୁଛି । ଦକ୍ଷିଣ ଭାରତର ରାଜ୍ୟଗୁଡିକ ଭାରତର ଜିଡିପିରେ ପ୍ରମୁଖ ଅବଦାନ ରଖୁଛନ୍ତି । ଅନ୍ୟପକ୍ଷରେ ଏକଦା ଅର୍ଥନୈତିକ ସ୍ତରରେ ମଜଭୁତ ଥିବା ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସେଥିରେ ଚିନ୍ତାଜନକ ଭାବରେ ହ୍ରାସ ପରିଲକ୍ଷିତ ହେଉଛି । ପ୍ରଧାନମନ୍ତ୍ରୀଙ୍କର ଅର୍ଥନୈତିକ ପରାମର୍ଶଦାତା ପରିଷଦ ପକ୍ଷରୁ ପ୍ରକାଶିତ ଏକ କାର୍ଯ୍ୟକାରିତା ପତ୍ରରେ ଏହା ଦର୍ଶାଯାଇଛି ।
ଏଥିରେ କୁହାଯାଇଛି ଯେ ଭାରତର ମୋଟ ଜିଡିପିରେ ଦକ୍ଷିଣ ରାଜ୍ୟଗୁଡିକର ଅଂଶ ପ୍ରାୟ ୩୦% ରହୁଛି । ୧୯୯୧ରେ ଦକ୍ଷିଣ ଭାରତର ପାଞ୍ଚଟି ପ୍ରମୁଖ ରାଜ୍ୟରେ ମୁଣ୍ଡପିଛା ଆୟ ଜାତୀୟ ହାରାହାରି ଠାରୁ କମ୍ ରହିଥିଲା । ତେବେ ଭାରତୀୟ ଅର୍ଥନୀତିର ଉଦାରୀକରଣ ଦ୍ରୁତ ଅଭିବୃଦ୍ଧି ସାଧନ କରିବା ସହିତ ଏହି ରାଜ୍ୟଗୁଡିକୁ ଆଗକୁ ବଢିବାକୁ ପ୍ରେରିତ କରିଥିଲା । ୨୦୨୪ ମାର୍ଚ୍ଚ ସୁଦ୍ଧା ଏହି ରାଜ୍ୟଗୁଡିକର ଦେଶର ଜିଡିପିରେ ମୋଟ ଅଂଶ ୩୦%ରେ ପହଞ୍ଚିଥିଲା । କର୍ଣ୍ଣାଟକ ତାହାର ଅଭିବୃଦ୍ଧିଶୀଳ ପ୍ରଯୁକ୍ତି କ୍ଷେତ୍ରକୁ ନେଇ ଆର୍ଥିକ କ୍ଷେତ୍ରରେ ଅଗ୍ରସର ହେଉଥିବାବେଳେ ତାମିଲନାଡୁ ଶିଳ୍ପର ପେଣ୍ଠସ୍ଥଳରେ ପରିଣତ ହୋଇଛି ଏବଂ ଏହି ଦୁଇ ରାଜ୍ୟ ସାମଗ୍ରିକ ଭାବରେ ଅର୍ଥନୈତିକ ଅଭିବୃଦ୍ଧିର କର୍ଣ୍ଣଧାର ପାଲଟିଛନ୍ତି । ୨୦୧୪ରେ ଗଠିତ ଦେଶର ସର୍ବକନିଷ୍ଠ ରାଜ୍ୟ ତେଲେଙ୍ଗାନା ମଧ୍ୟ ଉଲ୍ଲେଖନୀୟ ଆର୍ଥିକ ପ୍ରଦର୍ଶନ କରିବା ସହିତ ଭାରତୀୟ ଅର୍ଥନୀତିରେ ଅବଦାନ ରଖୁଛି ।
ପଶ୍ଚିମବଙ୍ଗ ଏକଦା ଭାରତୀୟ ଅର୍ଥନୀତିରେ ପ୍ରମୁଖ ଅବଦାନ ରଖୁଥିଲା ଏବଂ ୧୯୬୦-୬୧ରେ ଏହାର ଅଂଶ ୧୦.୫% ରହିଥିଲା । ଏବେ ତାହା ୫.୬%କୁ ହ୍ରାସପାଇଛି । ରାଜ୍ୟର ମୁଣ୍ଡପିଛା ଆୟ ଏକଦା ଜାତୀୟ ହାରାହାରିର ୧୨୭.୫% ଥିବାବେଳେ ତାହା ଏବେ ୮୩.୭%କୁ ହ୍ରାସପାଇଛି । ଯଦ୍ଦ୍ୱାରା ପଶ୍ଚିମବଙ୍ଗ ଏବେ ରାଜସ୍ଥାନ ଏବଂ ଓଡ଼ିଶା ଭଳି ରାଜ୍ୟ ତଳକୁ ଖସିଆସିଛି ।