ବେରୁଟ୍: ମଙ୍ଗଳବାର ଲେବନାନ୍ ଓ ସିରିୟାରେ ହେଜବୋଲ୍ଲା ଆତଙ୍କବାଦୀ ସଂଗଠନ ସଦସ୍ୟଙ୍କ ପେଜର ବିସ୍ଫୋରଣ ହୋଇଥିବା ବେଳେ ପୁଣିଥରେ ବୁଧବାର ୱାକିଟକି ବିସ୍ଫୋରଣ ହୋଇ ୯ ଜଣଙ୍କ ଜୀବନହାନୀ ହୋଇଛି। ୨ ଦିନ ପୂର୍ବରୁ ହୋଇଥିବା ପେଜର ବିସ୍ଫୋରଣରେ ପ୍ରାୟ ୩୦୦୦ ଆହତ ହୋଇଥିବାବେଳେ ୱାକିଟକି ବିସ୍ଫୋରଣରେ ଶତାଧିକ ହେଜବୋଲ୍ଲା ସଦସ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ବିସ୍ଫୋରଣ କାହା ଦ୍ୱାରା ଓ କିପରି ହେଉଛି ତାହାର କୌଣସି ସବିଶେଷ ସୂଚନା ମିଳିପାରି ନାହିଁ। ଉଭୟ ପେଜର ଓ ୱାକିଟକି ବିସ୍ଫୋରଣ ପାଇଁ ହେଜବୋଲ୍ଲା ଇସ୍ରାଏଲକୁ ଦାୟୀ କରିଛି। ମାତ୍ର ଏ ସମ୍ପର୍କରେ କୌଣସି ଉପଯୁକ୍ତ ପ୍ରମାଣ ମିଳିପାରି ନଥିବା ବେଳେ ଇସ୍ରାଏଲ ସହିତ ହେଜବୋଲ୍ଲାର ଶତ୍ରୁତା ଲାଗି ରହିଥିବାରୁ ଏପରି କରିଥିବା ସନ୍ଦେହ କରାଯାଉଛି। ଅପରପକ୍ଷେ ଇସ୍ରାଏଲ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କିମ୍ବା ଅଗ୍ରାହ୍ୟ କରିନାହିଁ। ତେବେ ଏହି ଘଟଣାକୁ ବଡ ଧରଣର ସୁରକ୍ଷା ଉଲ୍ଲଙ୍ଘନ ବୋଲି ଲେବାନନ୍ କହିଛି। ଲେବାନନ୍ରେ ଏପରି ସିରିଜ ବିସ୍ଫୋରଣ ଘଟଣାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ନିନ୍ଦା କରି କହିଛନ୍ତି ଯେ “ଦୁଇ ପକ୍ଷର ଯୁଦ୍ଧକୁ ନେଇ ସାଧାରଣ ଜନତାଙ୍କ ବ୍ୟବହାର କରୁଥିବା ଉପକରଣକୁ ଅସ୍ତ୍ର ରୂପେ ବ୍ୟବହାର କରାଯିବା ଠିକ୍ ନୁହେଁ।”
ସୂଚନାଯୋଗ୍ୟ ଯେ, ୱାକିଟକି ହେଉଛି ଏକ ଯୋଗାଯୋଗ ମାଧ୍ୟମ। ଏହି ଓୟାରଲେସ୍ ଯନ୍ତ୍ର ଦ୍ବାରା କମ୍ ଦୂରତା ମଧ୍ୟରେ ଦୁଇଜଣଙ୍କ ମଧ୍ୟରେ କଥାବାର୍ତ୍ତା କରାଯାଇଥାଏ। ବୁଧବାର ଲେବାନନର ରାଜଧାନୀ ବେରୁଟ୍ ଉପକଣ୍ଠ ସିଡନ ଠାରେ ଏହି ୱାକିଟକି ବିସ୍ଫୋରଣ ଘଟିଛି। ମଙ୍ଗଳବାର ପେଜର ବିସ୍ଫୋରଣରେ ପ୍ରାଣ ହରାଇଥିବା ହେଜବୋଲ୍ଲା ସଦସ୍ୟଙ୍କ ଅନ୍ତ୍ୟଷ୍ଟି କ୍ରିୟା ଉତ୍ସବରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ଜଣଙ୍କର ୱାକିଟକି ବିସ୍ଫୋରଣ ହୋଇଥିଲା । ଏ ନେଇ ତେହରାନ ଟାଇମ୍ସ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ସେହିପରି ଅନ୍ୟ ଏକ ତଥ୍ୟ ଅନୁଯାୟୀ ଏକାଧିକ ସ୍ଥାନରେ ୱାକିଟକି ସହିତ ସୋଲାର ବିଦ୍ୟୁତ୍ ସିଷ୍ଟମ୍ରେ ବିସ୍ଫୋରଣ ହୋଇଛି। ତେବେ ମଙ୍ଗଳବାର ପେଜର ବିସ୍ଫୋରଣ ପରେ ହେଜବୋଲ୍ଲା ଇସ୍ରାଏଲ ଉପରେ ଆକ୍ରମଣ କରି ଇସ୍ରାଏଲର ଅସ୍ତ୍ରାଗାରକୁ ଏକାଧିକ ରକେଟ୍ ମାଡ କରିଛି। ଏହି ଆକ୍ରମଣ ପରେ ଆଗକୁ ଉଭୟ ପକ୍ଷ ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧ ହେବାର ଆଶଙ୍କା ବଢିଛି।
ପ୍ରକାଶଥାଉ କି, ବିସ୍ଫୋରଣ ହୋଇଥିବା ପେଜରଗୁଡିକ ତାଇୱାନରୁ ଆମଦାନୀ ହୋଇଥିଲା। ତେବେ ବିସ୍ଫୋରଣ ପରେ ଏହି ପେଜର ମଧ୍ୟରେ ଇସ୍ରାଏଲର ଗୁଇନ୍ଦା ଏଜେନ୍ସି ବିସ୍ଫୋରକ ଦ୍ରବ୍ୟ ଖଞ୍ଜିଥିବା କୁହାଯାଉଥିବା ବେଳେ ତାଇୱାନ କମ୍ପାନୀ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। ସେହିପରି ବୁଧବାର ବିସ୍ଫୋରଣ ହୋଇଥିବା ୱାକିଟକିଗୁଡିକ ହଙ୍ଗେରିର ରାଜଧାନୀ ବୁଦାପେଷ୍ଟସ୍ଥିତ ଏକ କମ୍ପାନୀ ବିଏସି ଦ୍ୱାରା ନିର୍ମିତ ହୋଇଥିବା ବେଳେ ହେଜବୋଲ୍ଲା ଏହାକୁ ୫ମାସ ତଳେ କିଣିଥିଲା। ତେଣୁ ଏଥିରେ ବିସ୍ଫୋରକ ଖଞ୍ଜିବା ସମ୍ଭବ ନୁହେଁ ବୋଲି କୁହାଯାଉଛି।