ନୂଆଦିଲ୍ଲୀ: ଚନ୍ଦ୍ର,ମଙ୍ଗଳ ପରେ ଖୁବଶୀଘ୍ର ଶୁକ୍ର ଗ୍ରହ ପାଇଁ ମଧ୍ୟ ଅଭିଯାନ ହେବାକୁ ଯାଉଛି । ଶୁକ୍ରଗ୍ରହ ସମ୍ପର୍କରେ ଅନୁଧ୍ୟାନ ନିମନ୍ତେ ଅଭିଯାନ ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ଏନେଇ ଅଧିକ ଗବେଷଣା ପାଇଁ ଇସ୍ରୋ ପକ୍ଷରୁ ଦିଆଯାଇଥିବା ଭେନସ ଅର୍ବିଟ ମିଶନ (ଭିଓଏମ୍) ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଛି। ଏହି ଅଭିଯାନ ପାଇଁ ମୋଟ ୧୨୩୬ କୋଟି ଟଙ୍କା ମଂଜୁର କରାଯାଇଥିବା ବେଳେ ୮୨୪ କୋଟି ଟଙ୍କାରେ ମହାକାଶଯାନ ଓ ଉତ୍କ୍ଷେପଣ ଯାନ ତିଆରି କରାଯିବ। ୨୦୨୮ ମସିହା ମାର୍ଚ୍ଚରେ ଏହି ଅଭିଯାନ ଆରମ୍ଭ ହେବାନେଇ ଲକ୍ଷ୍ୟ ରହିଥିବା ବେଳେ ଏହି ଅଭିଯାନରେ ଶୁକ୍ରଗ୍ରହର ବାୟୁମଣ୍ଡଳ, ଭୂତତ୍ତ୍ବକୁ ଅନୁଧ୍ୟାନ ସହିତ ଅନ୍ୟାନ୍ୟ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରାଯିବ।
ଶୁକ୍ର ପୃଥିବୀର ପଡୋଶୀ ଉପଗ୍ରହ ହୋଇଥିବାରୁ ଏଠାରେ ପୃଥିବୀ ଭଳି ଅନୁରୂପ ପରିବେଶ ରହିଥିବା ଅନୁମାନ କରାଯାଉଛି। ତେବେ ଇସ୍ରୋର ଯୋଜନା ଅନୁଯାୟୀ ଶୁକ୍ର ଗ୍ରହର କକ୍ଷ ପଥକୁ ଏକ ମହାକାଶଯାନ ପଠାଯିବ। ଏହା ଶୁକ୍ରଗ୍ରହକୁ ପରିକ୍ରମଣ କରିବା ପୂର୍ବକ ବିଭିନ୍ନ ତଥ୍ୟ ସଂଗ୍ରହ କରିବ। ଏହି ଅଭିଯାନରେ ଇସ୍ରୋ ସହିତ ଭାରତର ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନଗୁଡିକ ବିଶେଷ ଭୂମିକା ନିର୍ବାହ କରିବେ।
ଅପରପକ୍ଷରେ ଚନ୍ଦ୍ରଯାନ-୪ର ପ୍ରସ୍ତୁତି ପାଇଁ କ୍ୟାବିନେଟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକ୍ରମେ ଚନ୍ଦ୍ର ସମ୍ପର୍କରେ ଅଧିକ ଅନୁଧ୍ୟାନ କରିବା ପାଇଁ ୨୧୦୪ କୋଟି ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରଯାନ-୪ର ପ୍ରସ୍ତୁତ କରାଯିବ। ଏହି ଅଭିଯାନରେ ଚନ୍ଦ୍ରପୃଷ୍ଠରୁ ପଥର ଓ ମାଟି ଅଣାଯିବା ସହିତ ଚନ୍ଦ୍ରପୃଷ୍ଠକୁ ମାନବ ପଠାଯିବାର ବ୍ୟବସ୍ଥା କରାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଏହା ଆଗାମୀ ୩୬ ମାସ ମଧ୍ୟରେ ପ୍ରସ୍ତୁତ କରାଯିବ। ଏହି ଅଭିଯାନରେ ଦୁଇଟି ମହାକାଶଯାନ ରହିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।