ନୂଆଦିଲ୍ଲୀ: ଶରୀର ପାଇଁ ପାଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଶରୀରକୁ ଜଳୀୟଅଂଶ ଯୋଗାଇବା ନିମନ୍ତେ ପାଣି ପର୍ଯ୍ୟାପ୍ତ ନୁହେଁ । ଏ କ୍ଷେତ୍ରରେ ଇଲେକଟ୍ରୋଲାଇଟର ଭୂମିକା ରହୁଛି । ସୋଡିୟମ, ପଟାସିୟମ, କ୍ଲୋରାଇଡ ଭଳି ମିନେରାଲ ଶରୀରକୁ ଜଳୀୟଅଂଶ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ଆମ ଶରୀର କୋଷିକା, ମାଂସ, ରକ୍ତ ଏବଂ ମାଂସପେଶୀକୁ ନେଇ ଗଠିତ । କିନ୍ତୁ ଏଗୁଡିକ ସବୁ ମିଶିଲେ ଶରୀରର ମାତ୍ର ୪୦ ଭାଗ । ଅନ୍ୟ ୬୦ ଭାଗ ହେଉଛି ଜଳ । ଆମ ଶରୀରର ଅନେକ କାର୍ଯ୍ୟକଳାପ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ଜଳ; ତାହା ପୋଷକଗୁଡିକ କୋଷିକାରେ ପହଞ୍ଚାଇବାଠାରୁ ନେଇ ମସ୍ତିଷ୍କକୁ ସକ୍ରିୟ ରଖିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଜଳର ମୁଖ୍ୟ ଭୂମିକା ରହୁଛି ।
ଆମେ କ୍ରଗାଗତ ଭାବରେ ଶରୀରରୁ ଯେତେବେଳେ ମୂତ୍ର, ଝାଳ ନିର୍ଗତ, ଶ୍ୱାସକ୍ରିୟା ଆଦି ଦ୍ୱାରା ଜଳୀୟ ଅଂଶ ହରାଉ ଅଥଚ ପ୍ରଚୁର ପରିମାଣର ତରଳ ପଦାର୍ଥ ନପିଉ, ସେତେବେଳେ ସମସ୍ୟା ସୃଷ୍ଟି ହୁଏ । ଝାଳ ନିର୍ଗତ ଶରୀରରୁ ଜଳୀୟ ଅଂଶ ହ୍ରାସର ଏକ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ସେଥିରେ ଜଳ ସହିତ ଅନେକ ମିନେରାଲ ମଧ୍ୟ ନଷ୍ଟ ହୋଇଥାଏ । ଶରୀରରେ ଜଳୀୟ ଅଂଶ ପୁନଃ ଭରଣା କରିବା ନିମନ୍ତେ କେବଳ ପାଣି ପିଇଲେ ତାହା ପର୍ଯ୍ୟାପ୍ତ ହେବନାହିଁ । ସେଥିପାଇଁ ସୋଡିୟମ, ପଟାସିୟମ, କ୍ଲୋରାଇଡ ଭଳି ମିନେରାଲ ଥିବା ତରଳ ପଦାର୍ଥ ଆମକୁ ପିଇବାକୁ ହେବ, ଯେଉଁ ମିନେରାଲଗୁଡିକ ଅଧିକ ଇଲେକଟ୍ରୋଲାଇଟ୍ସ୍ରେ ଭରି ରହିଛି । ଇଲେକଟ୍ରୋଲାଇଟ୍ସ୍ ଏବଂ ଏନର୍ଜି ଡି୍ରଙ୍କଗୁଡିକ ସାଧାରଣତଃ ଆଥଲେଟମାନେ ସେମାନଙ୍କ ଶରୀରକୁ ଜଳୀୟ ଅଂଶ ଯୋଗାଇବା ନିମନ୍ତେ ବ୍ୟବହାର କରିଥାନ୍ତି । ସାଧାରଣ ଲୋକଙ୍କ ଶରୀର ପାଇଁ ମଧ୍ୟ ପଟାସିୟମର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନଙ୍କର ମତ । ସେମାନଙ୍କ କହିବା ଅନୁଯାୟୀ ଶରୀରରେ ପ୍ରତି ଏକ ଲିଟର ରକ୍ତ ପିଛା ୧୩୫ରୁ ୧୪୫ ମିଲିଗ୍ରାମ ସୋଡିୟମ ରହିବା କଥା । ଖାଦ୍ୟରେ ପ୍ରଚୁର ପରିମାଣରେ ଇଲେକଟ୍ରୋଲାଇଟ୍ସ୍ ରହିଛି । କିନ୍ତୁ ଜୋରଦାର ବ୍ୟୟାମ, କଠିନ ଶାରୀରିକ ପରିଶ୍ରମ ସମୟରେ ଶରୀରରୁ ଏହି ପରିମାଣ ନଷ୍ଟ ହେଉଥିବାରୁ ଏହା ଅଧିକ ପରିମାଣରେ ସେବନ କରିବାର ଆବଶ୍ୟକତା ରହିଛି ।