ଭୁବନେଶ୍ୱର, (ବ୍ୟୁରୋ): ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୋଲିସ ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଛି । ଅନ୍ୟପକ୍ଷରେ ଏହି ମାମଲାରେ ଶୁକ୍ରବାର କ୍ରାଇମବ୍ରାଞ୍ଚ ନିଜ ତରଫରୁ ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୫ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ମେଜରଙ୍କ ଅଭିଯୋଗ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଥିବା ବେଳେ ନିଲମ୍ବିତ ଥାନାଧିକାରୀ ଦୀନକୃଷ୍ଣଙ୍କ ବିରୋଧରେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଭଳି ସଙ୍ଗୀନ ଦଫା ଲାଗିଛି । ଏହି ମାମଲାରେ ଦୀନକୃଷ୍ଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଭାରତୀୟ ସ୍ଥଳ ସେନାର ମେଜର ଓ ତାଙ୍କ ବାନ୍ଧବୀ ପଟିଆରୁ ଭରତପୁର ସ୍ଥିତ ନିଜ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଥାନା ଅଞ୍ଚଳର କିଛି ଯୁବକ ତାଙ୍କ ଗାଡ଼ି ଅଟକାଇ ଉଭୟଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ଅଭିଯୋଗ କରିବାକୁ ଉଭୟେ ଥାନାକୁ ଆସିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ । ଏପରିକି ପୋଲିସ ମେଜରଙ୍କୁ ହାଜତରେ ସାରା ରାତି ରଖିବା ସହ ତାଙ୍କ ବାନ୍ଧବୀଙ୍କୁ ଅର୍ଦ୍ଧନଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଆହୁରି ମଧ୍ୟ ଭରତପୁର ଥାନାର ତତ୍କାଳୀନ ଆଇଆଇସି ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। କିନ୍ତୁ ମେଜର ଏବଂ ତାଙ୍କ ବାନ୍ଧବୀ ନିଶା ସେବନ କରି ଆସି ଥାନାରେ ପାଟିତୁଣ୍ଡ କରିବା ସହ ଗଣ୍ଡଗୋଳ କରିଥିଲେ ବୋଲି ପୋଲିସ ପକ୍ଷରୁ ସଫେଇ ଦିଆଯାଇଥିଲା । ଏହି ଖବର ଜଣାପଡ଼ିବା ପରେ ସେନାର ସେଣ୍ଟ୍ରାଲ କମାଣ୍ଡର ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିବା ସହ କମିଶନରେଟ ପୋଲିସ ମିଥ୍ୟା ଖବର ପ୍ରସାରିତ କରୁଥିବା ଅଭିଯୋଗ ଆଣିଥିଲେ । ପୋଲିସ ଘଟଣାଦିନ ଅଭିଯୋଗକାରୀଙ୍କୁ ଥାନାରେ ମାଡ଼ମାରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ଅପରପକ୍ଷରେ ସଦ୍ୟ ନିର୍ମିତ ଭରତପୁର ମଡେଲ ଥାନାରେ ସିସିଟିଭି ନ ଥିବା କଥା ଥାନାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିବା ହାସ୍ୟାସ୍ପଦ ବୋଲି ସେନା ତଥା ଜନସାଧାରଣଙ୍କ ପକ୍ଷରୁ କୁହାଯାଇଛି ।