ଶୁକ୍ରବାରଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଗସ୍ତ ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ବେଳେ ସେ ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ୧୧.୩୦ ରେ କେନ୍ଦୁଝର ରିଜର୍ଭ ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ପଡିଆରେ ଅବତରଣ କରିଛନ୍ତି । ସେଠାରୁ ବାଇକ ରାଲିରେ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ଲାଇଫ ସେଭର୍ସ ଗ୍ରୁପ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ଏହାପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨.୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା’ ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ। ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେ। ଏହାର ପରଦିନ ଅର୍ଥାତ ଶନିବାର ସକାଳ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଦିନ ୧୦ ଟାରେ ଏଲ.ଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ଏହା ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ମୋହନ ସରକାରଙ୍କ ୧୦୦ ଦିନ ପୂରଣ ଉତ୍ସବରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ । ‘ଚାଏ ପେ ଚର୍ଚ୍ଚା’ ଏବଂ ପରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ ରଜତ ଜୟନ୍ତୀ ଉତ୍ସବରେ ଯୋଗ ଦେବା ସହ ସନ୍ଧ୍ୟାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ।