ବିଦା ହେବେ କି ବଡ଼ବାବୁ ?
ଅର୍ଥ ବିଭାଗ ଲୋଡ଼ିଲା ତଥ୍ୟ
ଓଏସଡିଙ୍କ ପରେ ବୈଷୟିକ ଅଧିକାରୀଙ୍କ ପାଳି
ଭୁବନେଶ୍ୱର,୨୦।୯(ସ.ପ୍ର): ଦୀର୍ଘ ଦୁଇ ଦଶନ୍ଧି ପରେ ରାଜ୍ୟ ସରକାରରେ ଏବେ ନୂଆ ସମୀକରଣ ସୃଷ୍ଟି ହୋଇଛି। ପ୍ରଶାସନକୁ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ପୁରୁଣାଙ୍କୁ ବିଦା କରି ଦକ୍ଷଙ୍କୁ ସୁଯୋଗ ଦେବାପାଇଁ ସମ୍ଭାବନା ସୃଷ୍ଟି ହୋଇଛି। ଚଳିତବର୍ଷ ଜୁନରେ ରାଜ୍ୟରେ ବିଜେପି ସରକାର ପାଦ ଥାପିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟରେ ବିଭିନ୍ନ ବିଭାଗ ଓ ସରକାରୀ ଦପ୍ତରରେ ଥଇଥାନ ହୋଇଥିବା ବରିଷ୍ଠ ଓଏଏସ ଅଧିକାରୀ ତଥା ବଡ଼ବାବୁଙ୍କୁ ଗଣନା କରିବା ପାଇଁ ତଥ୍ୟ ଆରମ୍ଭ ହୋଇଥିଲା। ଏହାକୁ ନେଇ ଚଳିତମାସ ୧୨ରେ ମୋହନ ସରକାରଙ୍କ ରାଜ୍ୟ କ୍ୟାବିନେଟରେ ଓଏସଡିଙ୍କ ନିଯୁକ୍ତି ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ପ୍ରତ୍ୟେକ ନିଯୁକ୍ତି ନିର୍ଦିଷ୍ଟ ନୀତି ନିୟମ ଅନୁଯାୟୀ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅତି ବେଶୀରେ ୧ ପ୍ରତିଶତ ପର୍ଯ୍ୟନ୍ତ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁ ବିଭାଗ ମୁଖ୍ୟଙ୍କଠାରୁ ଓଏସଡ଼ି ଏବଂ ଅବସରପ୍ରାପ୍ତଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ତଥ୍ୟ ଲୋଡାଯାଇଛି।
ଏହି ପରିପ୍ରେକ୍ଷୀରେ ଅର୍ଥ ବିଭାଗ ପକ୍ଷରୁ ପ୍ରକଳ୍ପ ପରିଚାଳନା କେନ୍ଦ୍ର(ବିଏମୟୁ) ତଥା ବୈଷୟିକ ସହାୟକ କେନ୍ଦ୍ର ପାଇଁ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି। ସବୁ ବିଭାଗୀୟ ମୁଖ୍ୟଙ୍କୁ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପତ୍ର ଲେଖି ତୁମ ବିଭାଗରେ କେତେ ସଂଖ୍ୟକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ତଥା ଟେକ୍ନିକାଲ ସପୋର୍ଟ ୟୁନିଟ ରହିଛି ତାହାର ହିସାବ ଲୋଡିଛନ୍ତି। ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ଯେ, କେଉଁ ସଂସ୍ଥା ଜରିଆରେ କେଉଁ ବୈଷୟିକ ସହାୟକ କିମ୍ବା ପ୍ରକଳ୍ପ ପରିଚାଳନା ଅଧିକାରୀ ନିୟୋଜିତ ହୋଇଛନ୍ତି ସେମାନଙ୍କ ଟିକିନିଖି ହିସାବ ଦିଅ। ଚଳିତମାସ ୨୧ ତାରିଖ ସୁଦ୍ଧା ସଂପୃକ୍ତ ସଂସ୍ଥା ଏବଂ ସଂପୃକ୍ତ ପ୍ରକଳ୍ପରେ ନିଯୁକ୍ତ ହୋଇଥିବା ଅଧିକାରୀଙ୍କ ପୂର୍ଣ୍ଣାଙ୍ଗ ତଥ୍ୟ ଦେବାକୁ ଶ୍ରୀ ମିଶ୍ର ଦର୍ଶାଇଛନ୍ତି। ଏହାସହିତ ଶ୍ରୀ ମିଶ୍ର ସଂପୃକ୍ତ ଅଧିକାରୀ କେତେବର୍ଷ ହେବ କାର୍ଯ୍ୟ କଲେଣି ଏବଂ ସେମାନଙ୍କ ବାବଦକୁ କେତେ ଟଙ୍କା ବାର୍ଷିକ ଖର୍ଚ ହେଉଛି ତା’ର ଟିକିନିଖି ବିବରଣୀ ଲୋଡ଼ିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ପୂର୍ବର ବିଜେଡି ସରକାର ସମୟରେ ପ୍ରତ୍ୟେକ ବିଭାଗରେ ପିଏମୟୁ ସେଲ କାର୍ଯ୍ୟକ୍ଷମ ହୋଇ ଆସୁଥିଲା। ଏଥିରେ ଦକ୍ଷ ଓଡ଼ିଆଙ୍କ ପରିବର୍ତ୍ତେ ବହୁ ଅଣଓଡ଼ିଆଙ୍କୁ ଥଇଥାନ କରାଯାଇଛି। କେବଳ ଯେ ଥଇଥାନ କରାଯାଇଛି ତାହା ନୁହେଁ, ମୋଟା ଅଙ୍କର ଦରମା ଦିଆଯାଉଛି। ଏହାକୁ ନେଇ ବହୁ ବରିଷ୍ଠ ଓଏଏସ୍ ଏବଂ ଆଇଏଏସ୍ ଅଧିକାରୀ ବିଭିନ୍ନ ସମୟରେ ପ୍ରଶ୍ନ ଉଠାଇ ଆସୁଥିଲେ। ଏପରିକି ସଂପୃକ୍ତ ପ୍ରକଳ୍ପ ପରିଚାଳନା ସେଲରେ କାର୍ଯ୍ୟରତ ଅଧିକାରୀମାନେ ୨ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଦରମା ପାଉଥିବା ନଜିର ରହିଛି। ଏହାକୁ ନେଇ ବହୁ ବରିଷ୍ଠ ପ୍ରଶାସକଙ୍କ ମଧ୍ୟରେ ଅସନ୍ତୋଷ ଗୁଞ୍ଜରଣ ହେଉଥିଲା। ଅର୍ଥ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଖୋଳତାଡ଼କୁ ନେଇ ବିଭିନ୍ନ ମହଲରେ ଏବେ ଶଙ୍କା ଦେଖା ଦେଇଛି । ଆଗାମୀ ଦିନରେ ପିଏମୟୁ କେନ୍ଦ୍ରର ସ୍ଥିତି କ’ଣ ହେବ ଏବଂ ଏଥିରେ ଥଇଥାନ ହୋଇଥିବା ବଡ଼ବାବୁ କୁଆଡେ ଯିବେ ତାକୁ ନେଇ ଲୋକସଭା ଭବନରେ ଚର୍ଚା ଜୋର ଧରିଛି।