ନୂଆଦିଲ୍ଲୀ: ଶୁକ୍ରବାର କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ସୁପ୍ରିମ୍କୋର୍ଟ ଭର୍ତ୍ସନା କରିବା ସହିତ ପ୍ରଧାନ ବିଚାରପତିଙ୍କଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି।
ସୂଚନା ଅନୁସାରେ, ନିକଟରେ କର୍ଣ୍ଣାଟକ ହାଇକୋର୍ଟର ଏକ ଶୁଣାଣି ସମୟରେ ଜଷ୍ଟିସ ବେଦଭ୍ୟାସାଚାର୍ଯ୍ୟ ଶ୍ରୀଶାନନ୍ଦ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରିପୋର୍ଟ ମାଗିଛନ୍ତି। ଜଷ୍ଟିସ ଶ୍ରୀଶାନନ୍ଦ ଜଣେ ଜମି ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଚାଲିଥିବା ବିବାଦର ବିଚାର କରିବାବେଳେ ବେଙ୍ଗାଲୁରୁର ଏକ ମୁସଲିମ ଅଞ୍ଚଳକୁ ‘ପାକିସ୍ତାନ’ ଭଳି ବୋଲି କହିଥିଲେ। ଏହି ଭିିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ବିବାଦ ଉପୁଜିଥିଲା। ତେବେ ଏହା ଉପରେ ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏସ୍ ଖାନ୍ନା, ବି.ଆର ଗଭାଇ, ଏସ. କାନ୍ତ ଏବଂ ଏଚ. ରୟଙ୍କୁ ନେଇ ପାଞ୍ଚ ଜଣିଆ ଖଣ୍ଡପୀଠ ଗଠିତ ହୋଇଥିଲା। ଏହି ୫ ଜଣିଆ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ଉପରେ କ୍ଷୁବ୍ଧ ହେବା ସହ ଜର୍ଜଙ୍କ ମନ୍ତବ୍ୟ ଉପରେ ରିପୋର୍ଟ ମାଗିଛନ୍ତି। ଏ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସୋଶାଲ ମିଡିଆ କୋର୍ଟର ପ୍ରକ୍ରିୟା ଉପରେ ନଜର ରଖିବାରେ ସକ୍ରିୟ ଭୂମିକା ଗ୍ରହଣ କରୁଛି। ଏପରି ସମୟରେ ନ୍ୟାୟାଳୟରେ ଦିଆଯାଉଥିବା ମନ୍ତବ୍ୟଗୁଡ଼ିକ ନିଶ୍ଚିତ ରୂପେ ଆଇନ ସମ୍ମତ ହେବା ଉଚିତ୍।