ମୋରାଦାବାଦ: ଜଣେ ମେୟର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜନ୍ମଦିବସରେ ମିଛି ମିଛିକା ରକ୍ତଦାନ କରି ଏବେ ସମାଲୋଚନାର ଶିକାର ହେଉଛନ୍ତି । ଏହି ମେୟର ହେଉଛନ୍ତି ଖୋଦ୍ ବିଜେପିର ଏବଂ ସେ ଉତ୍ତର ପ୍ରଦେଶର ମୋରାଦାବାଦର ମେୟର ଅଛନ୍ତି । ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ଦଳ ପକ୍ଷରୁ ସେପ୍ଟେମ୍ବର ୧୭ ତାରିଖରେ ଦଳର ସ୍ଥାନୀୟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ସେଥିରେ ଏହି ମେୟର ମିଛି ମିଛିକା ରକ୍ତ ଦେଉଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି ।
ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମେୟର ରକ୍ତଦାନ ଶିବିରରେ ପଡିଥିବା ଏକ ଶଯ୍ୟାରେ ଶୋଇରହିଛନ୍ତି ଏବଂ ଜଣେ ସ୍ୱାସ୍ଥ୍ୟସେବା କର୍ମଚାରୀ ତାଙ୍କର ରକ୍ତଚାପ ମାପୁଛନ୍ତି । ତାହାପରେ ମେୟର ତାଙ୍କୁ ରକ୍ତଦାନ ନିମନ୍ତେ ପରବର୍ତ୍ତୀ ପଦକ୍ଷେପ ନନେବାକୁ କହୁଛନ୍ତି । ଏହା ଶୁଣିନପାରି କର୍ମଚାରୀ ଜଣକ ଛୁଞ୍ଚି ବାହାର କରିବା ମାତ୍ରେ ମେୟର ଶଯ୍ୟାରୁ ଉଠି ପ୍ରକୋଷ୍ଠ ଛାଡି ପଳାଇଯାଉଛନ୍ତି । ଦଳର ନେତା ହୋଇ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଥାଇ ରକ୍ତଦାନ ନିମନ୍ତେ ଏଭଳି ମିଛ ନାଟକ କରିବା ତାଙ୍କ ପାଇଁ ମହଙ୍ଗା ପଡିଛି ।