ନୂଆଦିଲ୍ଲୀ: ଗୋଟିଏ ଖାଦ୍ୟକୁ ବାରମ୍ବାର ଖାଇଲେ ସେଥିପ୍ରତି ଏକ ପ୍ରକାର ଅରୁଚି ଆସିଯାଏ । ତାହା ଯେତେ ସୁସ୍ୱାଦୁ ହୋଇଥିଲେ ମଧ୍ୟ ମନ ଆଉ ସେହି ଖାଦ୍ୟ ପ୍ରତି ଆକୃଷ୍ଟୁ ହୁଏନାହିଁ । ଯେମିତିକି ବିମାନ ଚଳାଚଳ ସଂସ୍ଥା ହୁଅନ୍ତୁ କି ଭାରତୀୟ ରେଳ ବିଭାଗ । ସେମାନଙ୍କର ଖାଦ୍ୟ ତାଲିକାରେ ବିଶେଷ କିଛି ପରିବର୍ତ୍ତନ ଦେଖିବାକୁ ମିଳେନାହିଁ । ଯେଉଁମାନେ ବାରମ୍ବାର ଯାତ୍ରା କରୁଛନ୍ତି ସେମାନେ ଏହିସବୁ ଖାଦ୍ୟ ଖାଇ ବିରକ୍ତ ହୋଇଗଲେଣି । କିନ୍ତୁ ଉପାୟ ନାହିଁ । ଠିକ୍ ସେମିତି ଘଟିଛି ଏଡେଲୱିସ ସିଇଓ ରାଧିକା ଗୁପ୍ତାଙ୍କ କ୍ଷେତ୍ରରେ । ସେ ବିମାନ ଚଳାଚଳ ସଂସ୍ଥାଗୁଡିକୁ ସେମାନଙ୍କର କାଗଜ ପ୍ୟାକେଟରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ତାଲିକାରୁ ସ୍ୟାଣ୍ଡୱିଚ ଭଳି ଖାଦ୍ୟକୁ ବାଦ୍ଦେଇ ପରଟା, ଇଡଲି ଏବଂ ଢୋକଲା ଭଳି ସ୍ୱାସ୍ଥ୍ୟକର ଏବଂ ସୁସ୍ୱାଦୁ ଖାଦ୍ୟ ସାମିଲ କରିବାକୁ କହିଛନ୍ତି ।
ସାମାଜିକ ଗଣମାଧ୍ୟମରେ ପ୍ରମୁଖ ସମସ୍ୟାଗୁଡିକ ଉପସ୍ଥାପନ କରିବା ପାଇଁ ସୁପରିଚିତ ରାଧିକା କହିଛନ୍ତି ଯେ ବିମାନ ଚଳାଚଳ ସଂସ୍ଥାଗୁଡିକ ପକ୍ଷରୁ ଚିଜ୍ ଲଗାଯାଇଥିବା ଦୁଇପିସ୍ ସ୍ୟାଣ୍ଡୱିଚ ଥିବା ଖାଦ୍ୟ ପ୍ୟାକେଟକୁ ବାଦ ଦିଆଯାଇ ସେହି ସ୍ଥାନରେ ପରଟା, ଇଡଲି ଏବଂ ଢୋକଲା ଭଳି ସ୍ୱାସ୍ଥ୍ୟକର ତଥା ସୁସ୍ୱାଦୁ ଖାଦ୍ୟ ସାମିଲ କରାଯାଉ । ମା’ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପରଟା ଓ ତରକାରୀ ସ୍ୟାଣ୍ଡୱିଚଠାରୁ ଯଥେଷ୍ଟ ଭଲ । ଏହା ଭାରତ, ପାଶ୍ଚାତ୍ୟ ରାଷ୍ଟ୍ର ନୁହେଁ । ଆମ ଦେଶରେ ବହୁବିଧ ଖାଦ୍ୟ ମିଳୁଛି ଯାହା ସୁସ୍ୱାଦୁ, ସ୍ୱାସ୍ଥ୍ୟକର ଏବଂ ସୁଲଭ ମଧ୍ୟ । ତେଣୁ ବିମାନ ଚଳାଚଳ ସଂସ୍ଥାଗୁଡିକ ମଧ୍ୟ ଏହି ଦୃଷ୍ଟିରୁ ସୃଜନଶୀଳ ଚିନ୍ତାଧାରା ସମ୍ପନ୍ନ ହେବା ଆବଶ୍ୟକ ।